ଝାରସୁଗୁଡା ଉପନିର୍ବାଚନ; ୧୨ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଲା ବିଜେଡି

0

ଆଗକୁ ଅଛି ଝାରସୁଗୁଡା ଉପନିର୍ବାଚନ । ଏଥିପାଇଁ ଆଜି ପୁଣି ୧୨ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛି ବିଜେଡି। ଆଜି ବିଜେଡି ବ୍ଲକ ଓ ମ୍ୟୁନିସିପାଲଟି ପାଇଁ ପର୍ଯ୍ଯବେକ୍ଷକଙ୍କ ନାଁ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୧୨ ନେତାଙ୍କୁ ଝାରସୁଗୁଡ଼ାର ବ୍ଲକ ଓ ମ୍ୟୁନିସିପାଲଟି ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

କିରମିରା ବ୍ଲକ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। କୋଲାବିରା ବ୍ଲକ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସରୋଜ ମେହେରଙ୍କୁ ଦାୟିତ୍ବ ମିଳିଛି। ଝାରସୁଗୁଡ଼ା ବ୍ଲକ ପାଇଁ ବିଧାୟକ ପଦ୍ମନାଭ ବେହେରା ଓ ଡ. ଅରୁଣ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। ସେହପରି ଲାଇକେରା ବ୍ଲକ ପାଇଁ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ବ ମିଳିଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ମ୍ୟୁନିସପାଲଟି ଦାୟିତ୍ବ ପାଇଁ ୪ ଜଣଙ୍କ ନାଁ ଘୋଷଣା କରାଯାଇଛି। ଉକ୍ତ ୪ଜଣ ହଲେ ବିଧାୟକ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।

ଏହା ପୂର୍ବରୁ ବିଜେଡି ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ଯ ଓ ସାରଦା ପ୍ରସାଦ ନାୟକଙ୍କୁ ନିଯୁକ୍ତ କରି ସାରିଛି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।

Leave a comment