ବାଇଡେନଙ୍କ ବିଜୟ ସମ୍ଭାବନାରେ ପାକିସ୍ତାନ ଅଧିକ ଖୁସି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୂଡାନ୍ତ ଫଳାଫଳ ଜଣାପଡିନଥିଲେ ମଧ୍ୟ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ବହୁଆଗରେ ରହିଛନ୍ତି। ବାଇଡେନ୍ ହ୍ୱାଇଟ୍ ହାଉସର ନିକଟବର୍ତ୍ତୀ ହୋଇଥିବା ଫଳାଫଳର ବର୍ତ୍ତମାନ ସ୍ଥିତିରୁ ସ୍ପଷ୍ଟ ହୋଇଯାଉଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ବାଇଡେନ୍ଙ୍କ ବିଜୟ ସମ୍ଭାବନାରେ ଅଧିକ ଖୁସି ହେଉଛି।
ପାକିସ୍ତାନ ସହ ଜୋ ବାଇଡେନଙ୍କର ପୁରୁଣା ରିସ୍ତା ରହିଛି। ପୂର୍ବତନ କୁଟ୍ଟନୀତିଜ୍ଞ ବାଇଡେନଙ୍କୁ ୨୦୦୮ରେ ପାକିସ୍ତାନ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ହିଲାଲ -ଇ-ପାକିସ୍ତାନ’ ପ୍ରଦାନ କରିଥିଲା। ପାକିସ୍ତାନକୁ ୧.୫ ବିଲିୟନ୍ ଅଣସାମରିକ ସହାୟତା ଦେବା ଲାଗି ବାଇଡେନ୍ ଓ ସିନେଟର ରିଚାର୍ଡ ଲୁଗାର ପ୍ରସ୍ତାବ ଆଣିଥିଲେ। ଲୁଗାରଙ୍କୁ ମଧ୍ୟ ହିଲାଲ-ଇ-ପାକିସ୍ତାନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଦୁଇଜଣ ପାକିସ୍ତାନକୁ ଲଗାତର ଭାବେ ସମର୍ଥନ କରୁଥିବାରୁ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ଦୁହିଁଙ୍କୁ କୃତଜ୍ଞତା ଜଣାଇଥିଲେ। ପାକିସ୍ତାନୀ ରାଜନୈତିକ ବିଶ୍ଲେଷକଙ୍କ ମତରେ ବାଇଡେନ୍ ରାଷ୍ଟ୍ରପତି ହେଲେ ଆମେରିକା-ପାକିସ୍ତାନ ମଧ୍ୟରେ ପୁଣି ପୁରୁଣା କୁଟ୍ଟନୈତିକ ସମ୍ପର୍କ ଫେରିଆସିବ।

Leave a comment