ବର୍ଷକୁ ୪ଥର ଜେଇଇ ମେନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):୨୦୨୦-୨୧ ଶିକ୍ଷାବର୍ଷ ଠାରୁ ଜେଇଇ ମେନ ପ୍ରବେଶିକା ବର୍ଷକୁ ୪ଥର ହେବ। ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ପରୀକ୍ଷା କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ତଦନୁଯାୟୀ ଆସନ୍ତା ଶିକ୍ଷାବର୍ଷ ଠାରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଫେବ୍ରୁଆରି ୨୩ରୁ ୨୬ ତାରିଖ ଯାଏଁ ହେବ । ଏଥିଲାଗି ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୫ରୁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଯାଇଥିବା ବେଳେ ଅନଲାଇନ ଫର୍ମ ପୂରଣ ଲାଗି ଜାନୁଆରୀ ୧୫ ଶେଷ ତାରିଖ ରହିଛି। ୧୬ ତାରିଖ ସୁଦ୍ଧା ଆବେଦନ ଶୁଳ୍କ ଦାଖଲ ଓ ୧୮ ସୁଦ୍ଧା ଫର୍ମ ସଂଶୋଧନ ଅବଧି ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାର କିଛିଦିନ ତଳେ ଜେଇଇ ମେନ ବର୍ଷକୁ ୪ଥର ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ସ୍ପଷ୍ଠ ତାରିଖ ଘୋଷଣା କରାଯାଇନଥିଲା। ବୁଧବାର କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷାନେଇ ବିସ୍ଥୃତ ସୂଚନା ପ୍ରଦାନ କରାଯାଇଛି। ତେବେ ଚଳିତବର୍ଷ ଠାରୁ ଓଡିଆ ସମେତ ଦେଶର ମୋଟ ୧୩ଟି ଭାଷାରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବରୁ ଏହା କେବଳ ହିନ୍ଦୀ, ଇଂରାଜି ଏବଂ ଗୁଜୁରାଟୀ ଭାଷାରେ ହେଉଥିଲା। ସମସ୍ତ ବିଷୟର ପରୀକ୍ଷା କମ୍ପୁଟର ଭିତ୍ତିକ ( ସିବିଟି) ଅନଲାଇନ ମୋଡରେ ହେବ। କେବଳ ବି-ଆର୍କ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅଫଲାଇନରେ ହେବ । ପରୀକ୍ଷା ଶେଷ ହେବାର ୪ରୁ ୫ ଦିନରେ ଫଳ ପ୍ରକାଶ ପାଇବ । ଜେଇଇ ମେନ୍ ପରୀକ୍ଷାରେ ମୋଟ୍ ୯୦ଟି ପ୍ରଶ୍ନ ରଖିବାକୁ ଏନଟିଏ ନିଷ୍ପତ୍ତି ନେଇଛି । ପରୀକ୍ଷାର୍ଥୀଙ୍କୁ ଯେକୌଣସି ୭୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ବାକି ୧୫ଟି ପ୍ରଶ୍ନ ଇଚ୍ଛାଧୀନ ରହିବ । ସେଗୁଡିକ ଭୁଲ୍ ହେଲେ ବି ନମ୍ବର କଟିବ ନାହିଁ । ତେବେ ଏହି ଚାରିଟି ପର୍ଯ୍ୟାରେ ଛାତ୍ରଛାତ୍ରୀମାନେ ଯେକୌଣସି ସମୟରେ ନିଜ ଇଚ୍ଛାରେ ଏହି ପ୍ରବେଶିକା ପରୀକ୍ଷା ଦେଇ ପାରିବେ। ସେମାନେ ସ୍ୱଇଚ୍ଛା ଅନୁଯାୟୀ ପରୀକ୍ଷା ମାସ ଚୟନ କରି ପାରିବେ ।

Leave a comment