ଆଜିଠୁ ଜେଇଇ ଓ ନିଟ୍ ପରୀକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜିଠାରୁ ଆରମ୍ଭ ହେବ ଜେଇଇ ଏବଂ ନିଟ୍। ଏନେଇ ରାଜ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସର୍ବଭାରତୀୟସ୍ତରରେ ଜେଇଇ(ମେନ୍) ଲାଗି ୯ଲକ୍ଷ ୫୩ହଜାର ୪୭୩ଜଣ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିବା ବେଳେ ୬୬୦ଟି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେହିପରି ଓଡ଼ିଶାରେ ୩୮ହଜାର ୩୫୪ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ପରିଥିବା ବେଳେ ୨୬ଟି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେଥିରୁ କେବଳ ରାଜଧାନୀରେ ୬ଟି ପରୀକ୍ଷାକେନ୍ଦ୍ରରେ ୧୬ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସକାଳ ୯ଟାରୁ ଦିନ ୧୨ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷକେନ୍ଦ୍ର ନିକଟରେ ପହଞ୍ଚିବେ। ଜେଇଇ ମେନ୍ ପରୀକ୍ଷା ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସେହିପରି ନିଟ୍ (ୟୁଜି)ପରୀକ୍ଷା ଆସନ୍ତା ୧୩ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଲାଗି ସର୍ବଭାରତୀୟସ୍ତରରେ ପ୍ରାୟ ୧୫ଲକ୍ଷ ଛାତ୍ରଛାତ୍ରୀ ନାମପଞ୍ଜିକରଣ କରିଥିବା ବେଳେ ଓଡ଼ିଶାରୁ ୩୭ହଜାର ୫୦ହଜାର ପିଲା ନାମପଞ୍ଜୀକରଣ କରିଛନ୍ତି। ରାଜ୍ୟରେ ଏହି ପରୀକ୍ଷା ଲାଗି ୮୩ଟି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଜେଇଇ ଏବଂ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଯା’ଆସ ଓ ରହଣି ପାଇଁ ସରକାର ବନ୍ଦୋବସ୍ତ କରିଛନ୍ତି। ପିଲାମାନଙ୍କର ଜିଲ୍ଲା ମୁଖ୍ୟାଳୟ ଠାରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଓ ପରୀକ୍ଷା କେନ୍ଦ୍ରରୁ ଗୃହ ଜିଲ୍ଲା ପର୍ଯ୍ୟନ୍ତ ରାଜ୍ୟ ସରକାର ପରିବହନ ବ୍ୟବସ୍ଥା କରିବେ। କେବଳ ଛାତ୍ରଛାତ୍ରୀ ନିଜର ଆଡ୍ମିଟ କାର୍ଡ ଦେଖାଇଲେ ମାଗଣାରେ ପରିବହନର ସୁବିଧା ପାଇପାରିବେ। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରାର୍ଥୀଙ୍କୁ ଯେପରି ଅସୁବିଧା ନହେବ, ସେଥିପାଇଁ ପ୍ରଶାସନ ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।