ଅଗଷ୍ଟ ୨୮କୁ ଘୁଞ୍ଚିଲା ଜେଇଇ ଆଡଭାନ୍ସଡ
ଭୁବନେଶ୍ୱର : ୨୦୨୨-୨୩ ଜେଇଇ (ଆଡଭାନ୍ସଡ୍) ଅଗଷ୍ଟ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ । ଜୁଲାଇ ୩ରେ ପରୀକ୍ଷା ହେବାରଥିଲା । ଏଥିପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆବେଦନ ଶୁଳ୍କ ଦେବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୨ । ପରୀକ୍ଷାର୍ଥୀମାନେ ଅଗଷ୍ଟ ୨୩ ରୁ ୨୮ ପର୍ଯ୍ୟନ୍ତ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏହା ଅଫିସିଆଲ୍ ୱେବ୍ସାଇଟ୍ରେ ଉପଲବ୍ଧ ହେବ । ସକାଳ ଏବଂ ଅପରାହ୍ନ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ପେପର ସକାଳ ୯ରୁ ପୂର୍ବାହ୍ନ ୧୨ ଓ ଦ୍ୱିତୀୟ ପେପର ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ଯାଏଁ ଅନୁଷ୍ଠିତହେବ । ପରୀକ୍ଷା ଫଳ ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇବ । ରେଜଲ୍ଟର ପ୍ରୋଭିଜନାଲ ଉତ୍ତର ସିଟ୍ ସେପ୍ଟେମ୍ବର ୩ରୁ ୪ ତାରିଖ ଭିତରେ ଉପଲବ୍ଧ ହେବ ।
ଅନ୍ୟପକ୍ଷରେ ମେଡିକାଲ ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଇଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ଆସନ୍ତା ଜୁଲାଇ ୧୭ରେ ଅନୁଷ୍ଠିତ ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି । ୨୦୨୨ ନିଟ୍ ୟୁଜି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମେ ୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରାଯାଇପାରିବ । ଚଳିତବର୍ଷ ଓଡ଼ିଆ ସମେତ ୧୩ଟି ଭାଷାରେ ନିଟ୍ ପରୀକ୍ଷା ହେବ । ଜେଇଇ ମେନ୍ ସେସନ-୧ ଓ ୨ ସୂଚୀ ମଧ୍ୟ ବଦଳିଛି। ସେସନ-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ଏବଂ ସେସନ-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।