ଜମ୍ମୁ କଶ୍ମୀର ବିକାଶ ଲାଗି ୫୫ ହଜାର କୋଟିର ପ୍ୟାକେଜ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାରା ୩୭୦ ହଟିବା ପରେ ଜମ୍ମୁକଶ୍ମୀରରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି । ଏବେ କାହାକୁ ଡରିବାର ଆବଶ୍ୟକତା ନାହିଁ । ଜମ୍ମୁ କଶ୍ମୀର ଗସ୍ତର ଦ୍ବିତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହା ଏହ ରାଲିକୁ ସମ୍ବୋଧନ କରି କହିଛନ୍ତି, ଘାଟିରେ ବିକାଶର ନୂଆ ଯାତ୍ରାର ଶୁଭାରମ୍ଭ ହୋଇ ସାରିଛି । କିଛି ଲୋକ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ଗୋଟିଏ ବି ଜୀବନ ନଯିବା ଭଳି ସ୍ଥିତି ଉପରେ ଜୋର ଦିଆଯାଉଛି । ଜମ୍ମୁ କଶ୍ମୀରରେ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ କାମ ଆରମ୍ଭ ହୋଇଛି । ଜମ୍ମୁରେ ୨ ବର୍ଷ ଭିତରେ ମେଟ୍ରୋ ସେବା ଆରମ୍ଭ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅମିତ ଶାହା । ଗତକାଲି ହେଲିକପ୍ଟର ପଲିସି ଘୋଷଣା ହୋଇଛି । ଏବେ ଜମ୍ମୁର ପ୍ରତି ଜିଲ୍ଲାରେ ହେଲିପ୍ୟାଡ୍ ନିର୍ମାଣ ହେବ ।

ଗସ୍ତର ଦ୍ବିତୀୟ ଦିନରେ ‌ଜମ୍ମୁରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ନୂତନ କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ । ଏହାସହ ସାଟେଲାଇଟ୍ କ୍ୟାମ୍ପସ ଖୋଲିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଜମ୍ମୁକଶ୍ମୀରରେ ୭ଟି ନୂଆ ମେଡିକାଲ କଲେଜ୍ ସ୍ଥାପନା ହୋଇଥିବା ଅମିତ ଶାହା କହିଛନ୍ତି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପରେ ଜମ୍ମୁ କଶ୍ମୀର ବିକାଶ ଲାଗି ୫୫ହଜାର କୋଟିର ପ୍ୟାକେଜ୍ ଦିଆଯାଇଛି । ଏଭିତରୁ ୩୩ହଜାର କୋଟି ଖର୍ଚ୍ଚ ହୋଇଛି । ଘାଟିରେ ୨୧ଟି ବିକାଶମୂଳକ ଯୋଜନା ସଂପୂର୍ଣ୍ଣ ହୋଇଛି ।

ଉଦଘାଟନୀ ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଆଇଆଇଟି ଜମ୍ମୁର ପ୍ରଥମ ଫେଜ୍ ଭିତ୍ତିଭୂମି ୨୧୦କୋଟି ଟଙ୍କା ମୂଲ୍ୟରେ ତିଆରି କରାଯାଇଥିବା ବେଳେ ଆଉ ଏକ ଫେଜ୍ ଭିତ୍ତିଭୂମି ୭୦୦କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

୩ ଦିନିଆ ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗତକାଲି ପ୍ରଥମ ଦିନରେ. ଆତଙ୍କବାଦୀ ଆକ୍ରମଣରେ ସହିଦ ଇନ୍ସପେକ୍ଟରଙ୍କ ପରିବାରକୁ ଭେଟିଥିଲେ ଗୃହମନ୍ତ୍ରୀ । ଶାହା କହିଛନ୍ତି ଏବେ କଶ୍ମୀରରେ କିଛି ବନ୍ଦ ହେବ ନାହିଁ।

Leave a comment