ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଞ୍ଚାୟତର ୧୦ ଗୋଟି ଗାଁ ଏବେ ବନ୍ୟାଘେରରେ । ୨ଟି ଗାଁ ବୋଡକ ଓ ସନ୍ତରା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ବନ୍ୟାଜଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଭିନ୍ନ ଏସକେପ୍ ଓ ମାହାରା ଦେଇ ବନ୍ୟାଜଳ ଜନବସତି ଆଡକୁ ମାଡିବାରେ ଲାଗିଛି । ଏହାସହ ଆଖଣ୍ଡଳମଣୀକୁ ଆଖିଆ ୨୦ନଂ ଜାତୀୟ ରାଜପଥ ବୋଡକ ନିକଟରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି ।ସେହିପରି ଆଖଣ୍ଡଳମଣୀ ତିହିଡି ରାସ୍ତାର ଆରଡି ନିକଟରେ ବନ୍ୟାଜଳ ଚାଲୁଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବୈତରଣୀନଦୀ କୂଳ ଲଘିଂ ବନ୍ୟାଜଳ ଓଳଗ ପଞ୍ଚାୟତର ବୋଡକ, ଷାଠିବାଙ୍କୁଡା, ଅମୃତମଣୀ, ଆରଡି ପଞ୍ଚାୟତର ମୁଆଁ, ସନ୍ତରା, ପାଲଟପୁର, ଶୀତଳପୁର ଆଦି ଗାଁରେ ବନ୍ୟାପାଣି ପ୍ରବେଶ କରିବାରୁ ଜଳବନ୍ଦୀ ହୋଇ ରହିଛନ୍ତି ଲୋକମାନେ ବସବାସ କରୁଥିବା ଲୋକମାନେ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି। ଅନେକ ସ୍ଥାନରେ ନଳକୂପ ବୁଡିଯାଇଥିବାରୁ ପିଇବା ପାଣିର ସମସ୍ୟା ଦେଖାଦେଇଛି । ସେହିପରି ଶହ ଶହ ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି ପାଣି ।