ବାରିପଦାରେ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦାରେ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷ ତଥା ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ । ବାତ୍ୟା ଅମ୍ପନ ଆସିବ ପୂର୍ବ ଦିନ ଅର୍ଥାତ ୧୯ ତାରିଖ ଦିନ ବିଜେଡି ସାଙ୍ଗଠନିକ ସଂପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଆସି ବାରିପଦାରେ ପହଞ୍ଚିଥିଲେ । ସେ ବିଜୁ ଜନତା ଦଳ କର୍ମୀଙ୍କ ସହ ବୈଠକ କରି ବାତ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ ।

ସେହିପରି ବାତ୍ୟା ପରବର୍ତ୍ତୀ ଦିନ ଅର୍ଥାତ ୨୧ ତାରିଖ ଦିନ ଅମ୍ଫନ ପରବର୍ତ୍ତୀ କ୍ଷତିର ଆକଳନ ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୬ଟି ବ୍ଲକ ମୋରଡ଼ା, ରାସଗୋବିନ୍ଦପୁର, ବଡ଼ସାହି, ବେତନଟୀ ଗୋପବନ୍ଧୁନଗର, କପ୍ତିପଦା ବ୍ଲକରେ ବିଜୁ ଜନତା ଦଳ କର୍ମୀଙ୍କ ସହ ଆଲୋଚନା କରିବା ପାଇଁ ପହଞ୍ଚିଥିଲେ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ।

ସୂଚନା ଅନୁଯାୟୀ, ୨୧ ତାରିଖ ଦିନ ସକାଳ ୬ ଘଟିକା ସମୟରେ କପ୍ତିପଦା ବଜାର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଶ୍ରୀ ଦାସ ଦଳୀୟ କର୍ମୀଙ୍କ ସହ କପ୍ତିପଦା ବ୍ଲକରେ ହୋଇଥିବା କ୍ଷୟକ୍ଷତି ସମ୍ୱନ୍ଧରେ ଆଲୋଚନା କରିବା ସହ ଦଳୀୟ କର୍ମୀଙ୍କ ନେତୃମଣ୍ଡଳୀଙ୍କୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଲେ । ଏହାପରେ ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପଶୁଦା ଠାରେ ପହଞ୍ଚି ଗୋପବନ୍ଧୁନଗର ବ୍ଲକର ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ଦାସ ବାତ୍ୟା ସମୟରେ ଦଳ ତରଫରୁ ବଣ୍ଟନ କରାଯାଇଥିବା ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନର ସମୀକ୍ଷା କରିଥିଲେ ଏବଂ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଥିବ ତୁରନ୍ତ ସେମାନଙ୍କ ପାଖରେ ପହଞ୍ଚିବା ପାଇଁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସକାଳ ୭ ଘଟିକା ୩୦ ମିନିଟ୍‌ ସମୟରେ ଶ୍ରୀ ଦାସ ବଡ଼ସାହି ଗାନ୍ଧୀଛକ ଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗାନ୍ଧୀ ଛକ ଠାରେ ଦଳୀୟ ନେତୃମଣ୍ଡଳୀଙ୍କ ସହ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ବାବଦରେ ଆଲୋଚନା କରିବା ସହ ଲୋକଙ୍କର ଦୁଃଖରେ ସମଦୁଃଖି ହେବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ସକାଳ ୮ ଘଟିକା ୩୦ ମିନିଟ ସମୟରେ ବେତନଟୀ ବ୍ଲକ୍‌ର ବେତନଟୀ ଠାରେ ପହଞ୍ଚି ଦଳୀୟ କର୍ମୀମାନଙ୍କୁ ଲୋକଙ୍କ ସାଙ୍ଗରେ ଛିଡ଼ା ହେବା ପାଇଁ କହିଥିଲେ ।

ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କର ଏଭଳି ତୁଫାନି ଗସ୍ତକୁ ଜିଲ୍ଲାବାସୀ ସ୍ୱାଗତ କରିଥିଲେ । ବାତ୍ୟା କ୍ଷତିଗ୍ରସ୍ତ ୬ଟି ବ୍ଲକ୍‌ରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିଜୁ ଜନତା ଦଳର କର୍ମୀଙ୍କ ଦ୍ୱାରା ବଣ୍ଟନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯିବା ସହ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ବାତ୍ୟାକୁ ମୁକାବିଲା କରିବାରେ ଦଳୀୟ କର୍ମୀ ଏକଜୁଟ ହେବା ବାସ୍ତବିକ ପ୍ରଶଂସନୀୟ ବୋଲି ସାଧାରଣରେ ଆଲୋଚନା ହୋଇଛି ।

Leave a comment