ଜୟ ନାରାୟଣ ମିଶ୍ର ନିଜର ମାନସିକ ଭାରସାମ୍ୟ ହରାଇବା ସହ ସ୍ମରଣ ଶକ୍ତି ମଧ୍ୟ ହରାଇଛନ୍ତି : ଅରୁଣ ସାହୁ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ତାଙ୍କର ମନ୍ତବ୍ୟକୁ ନେଇ ଲାଗିରହିଛି ଚର୍ଚ୍ଚା । ତେବେ ତାଙ୍କ ମନ୍ତବ୍ୟକୁ ନେଇ ଆଜି ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଡ଼. ଅରୁଣ କୁମାର ସାହୁ । ଜୟ ନାରାୟଣଙ୍କର ପ୍ରଚଣ୍ଡ ମୁଣ୍ଡ ଦୋଷ ରହିଛି। ବିଭିନ୍ନ ସମୟରେ ସେ ଦେଉଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ଜୟ ନାରାୟଣ ମିଶ୍ର କେବଳ ନିଜ ମାନସିକ ଭାରସାମ୍ୟ ହରାଇ ନାହାନ୍ତି; ନିଜର ସ୍ମରଣ ଶକ୍ତି ମଧ୍ୟ ହରାଇ ସାରିଛନ୍ତି । ନିଜର ବାଚାଳାମୀ ପ୍ରଦର୍ଶନ କରି ଶ୍ରୀ ମିଶ୍ର ନିଜେ ଏହାର ପ୍ରମାଣ ଦେଇଛନ୍ତି ବୋଲି କହିଛନ୍ତି କହିଛନ୍ତି ଅରୁଣ ସାହୁ ।
ଅରୁଣ କହିଛନ୍ତି ଯେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ସମ୍ପର୍କରେ ବିବୃତି ରଖି ସାରିଛନ୍ତି । ଏହା ପରେ ମଧ୍ୟ ପରବର୍ତୀ ସମୟରେ ବିରୋଧୀ ଦଳଙ୍କ ପକ୍ଷରୁ ଆଗତ ମୋସନ୍ ଉପରେ ମଧ୍ୟ ଗୃହରେ ବିସ୍ତୃତ ଆଲୋଚନା ହୋଇଛି । କିନ୍ତୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଏହାକୁ ପାଶୋରି ଯାଇଛନ୍ତି । ସେଥିପାଇଁ ସେ ପୁଣି ଥରେ ଗୃହ ଭିତରେ ସମାନ ଦାବି କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସମସ୍ୟା ଉତ୍ଥାପନ ପାଇଁ ବିଧାନସଭା ରହିଛି । ଏହି କାମ ପାଇଁ ବିଧାୟକମାନଙ୍କୁ ଲୋକେ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି । କିନ୍ତୁ ଯେଉଁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ପ୍ରଦାନ କରିଛନ୍ତି, ଗୃହରେ ଆଲୋଚନା ହୋଇଛି ପୁଣି ସେହି ପ୍ରସଙ୍ଗକୁ ନେଇ ଗୃହକୁ ଚଳାଇ ଦେଉ ନାହାନ୍ତି ।ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲି ପାରୁ ନାହିଁ ।
ବିରୋଧୀ ଦଳଙ୍କୁ ରାଜ୍ୟ ସରକାର ସର୍ବଦା ଗୁରୁ୍ତ୍ୱ ଦେଉଛନ୍ତି । କିନ୍ତୁ ବିରୋଧୀ ଦଳ ନେତା ଏହାର ଭୂଲ୍ ଫାଇଦା ନେବାକୁ ସର୍ବଦା ପ୍ରୟାସରତ । ସେଥିପାଇଁ ସେମାନେ ଗୃହ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରୁଛନ୍ତି । ଲୋକଙ୍କ ହିତ ସାଧନ ସେମାନଙ୍କ ଲକ୍ଷ୍ୟ ନୁହେଁ, ରାଜନୈତିକ ଫାଇଦା ହାସଲ ମୋନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ସେମାନଙ୍କର ଉତ୍ସୃଙ୍ଖଳିତ ଆଚରଣ ଗଣତନ୍ତ୍ର ପ୍ରତି ବିପଦ । ନିଜର ମୁଣ୍ଡ ଦୋଷ ପାଇଁ ଜୟନାରାୟଣ ନିଜର ସ୍ମରଣ ଶକ୍ତି ହରାଇ ସାରିଛନ୍ତି । ସେଥିପାଇଁ ଗତକାଲି କ’ଣ ଘଟିଛି ଓ ଆଜି କ’ଣ ଘଟୁଛି ସେ ସମ୍ପର୍କରେ ସେ ଜାଣିପାରୁ ନାହାନ୍ତି । ଏଣୁତେଣୁ ଗପୁଛନ୍ତି ଓ ଭିତ୍ତିହୀନ ମନ୍ତବ୍ୟ ପ୍ରଦାନ କରୁଛନ୍ତି । ଓଡ଼ିଶାବାସୀ ଶ୍ରୀ ମିଶ୍ର ଓ ତାଙ୍କ ଦଳର ନେତାମାନଙ୍କ ନାଟକ ଦେଖୁଛନ୍ତି ଆଉ ଆଗାମୀ ଦିନରେ ଏହାର ଉଚିତ ଜବାବ୍ ଦେବେ ବୋଲି ଡକ୍ଟର ସାହୁ କହିଛନ୍ତି ।