ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ହେବା ଘଟଣା, ବିଧାନସଭାରେ ବିବୃତି ରଖିଲେ ଏସ୍‌ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ଏକ ଛାତ୍ରୀନିବାସରେ ନାବାଳିକାଙ୍କୁ ବଳାତ୍କାର କରାଯିବା ଓ ଏହାପରେ ଛାତ୍ରୀ ନିବାସର ୪ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଚଳିତ ବିଧାନସଭାର ପ୍ରଥମ ଅଧିବେଶନରେ ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ । ଏହି ଘଟଣାର ତଦନ୍ତ କରିବା ସହ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ବିବୃତି ଦେବା ଲାଗି କଂଗ୍ରେସ ଦଳ ସଦସ୍ୟମାନେ ଦାବି କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏସ୍‌ସିଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗୃହରେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଘଟଣା ନେଇ ସାରକା କହିଛନ୍ତି, ଏସ୍‌ସିଏସ୍‌ସି ବର୍ଗର ପିଲାଙ୍କ ଶିକ୍ଷା ଓ ସୁରକ୍ଷା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଖୋର୍ଦ୍ଧା ଜିଲା ମଙ୍ଗଳ ଅଧିକାରୀଙ୍କ ସୂଚନାନୁଯାୟୀ ଗ୍ରୀଷ୍ମ ଛୁଟିରେ ସମସ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷାରୁ ୪ ଜଣ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ସେହି ଛାତ୍ରୀମାନଙ୍କ ପୂନର୍ବାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ବ୍ୟତୀତ ଅନ୍ୟ ୩ଜଣଙ୍କର ରିପୋର୍ଟ ନେଗେଟିଭ ବାହାରିଥିଲା । ଏହାପରେ ସମ୍ପୃକ୍ତ ଛାତ୍ରୀଙ୍କୁ ଆବଶ୍ୟକ କାଉନସିଲିଂ କରାଯାଇ ଦରକାର ମୁତାବକ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଥିଲା । ଏହାଛଡ଼ା ଛାତ୍ରୀଙ୍କ ଅଭିଭାବକଙ୍କୁ ଡକାଯାଇ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା ବୋଲି ମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ।

ଏଥିସହ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଚଳିତବର୍ଷ ଗ୍ରୀଷ୍ମଛୁଟିରେ ସମ୍ପୃକ୍ତ ଛାତ୍ରୀ ନିଜ ଘରକୁ ଯାଇଥିଲେ । ସେଠାରେ ହିଁ ଗର୍ଭବତୀ ହୋଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ସୁରକ୍ଷା, ନିରାପତ୍ତା ଏବଂ ସ୍ବାସ୍ଥ୍ୟ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।

Leave a comment