ସାରା ଓଡିଶାରେ ବୁଲିବ ଜଗନ୍ନାଥ ରଥ
ପ୍ରତ୍ୟେକ ଗାଁରେ ଜଗନ୍ନାଥ ରଥ ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିବ
ଜାନୁୟାରୀ ୧୭ରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ଏହାପୂର୍ବରୁ ପ୍ରତ୍ୟେକ ଗାଁରେ ଜଗନ୍ନାଥ ରଥ ବୁଲି ଚାଉଳ ଓ ଗୁଆ ସଂଗ୍ରହ କରାଯିବ । ଏଥିପାଇଁ ଜାନୁୟାରୀ ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇଛି । ସଂଗୃହିତ ଚାଉଳ ଓ ଗୁଆକୁ ୧୭ ତାରିଖ ପୂର୍ବରୁ ପୁରୀକୁ ପଠାଯିବ । ଏପରିକି ଗାଁ ଗାଁରୁ ଲୋକଙ୍କୁ ନେଇ ପରିକ୍ରମା ପ୍ରକଳ୍ପ ବୁଲାଇ ଦେଖାଇବାର ବ୍ୟବସ୍ଥା କରୁଛନ୍ତି ସରକାର ।
ଜାନୁୟାରୀ ୧୭, ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଆଡମ୍ବର ଓ ସ୍ମରଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସାରା ଦେଶର ବିଭିନ୍ନ ପ୍ରସିଦ୍ଧ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆଯାଉଛି । ଗତ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ଅବସରରେ ମୁଖ୍ୟ ସେବାୟତଙ୍କ ପକ୍ଷରୁ ଜଗନ୍ନାଥଙ୍କ ଉଦେଶ୍ୟରେ ଓଡିଶାର ସାଧାରଣ ଲୋକଙ୍କୁ ଗୁଆ ଚାଉଳ ଦେବା ପାଇଁ ଅନୁରୋଧ କରାଯାଇଥିଲା । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭ ହୋଇଛି ବଡ ପ୍ରସ୍ତୁତି । ସୂଚନା ଅନୁସାରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାଧାରଣ ଲୋକଙ୍କ ପାଖରୁ ଚାଉଳ ଓ ଗୁଆ ସଂଗ୍ରହ କରି ଶ୍ରୀମନ୍ଦିରକୁ ପଠାଯିବ ।
ରାଜନୀତିର ଗନ୍ଧ ବାରିଥିବା ବେଳେ, ବିଜେଡି କହିଛି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ରାଜ୍ୟ ସରକାର ।
ତେବେ ପରିକ୍ରମା ପ୍ରକଳ୍ପର ପ୍ରତ୍ୟକ୍ଷ ଅନୁଭୂ୍ତି ନେବା ପାଇଁ ସାରା ଓଡିଶାର ପ୍ରତ୍ୟେକ ଅଞ୍ଚଳର ଲୋକଙ୍କୁ ସାମିଲ କରାଯିବ । ୧୭ ତାରିଖ ଲୋକାର୍ପଣ ପରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଦୈନିକ ୧ ହଜାର ଲୋକଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ପୁରୀ ଅଣାଯିବ । ପ୍ରତିଦିନ ୧୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ । ପରେ ସେମାନଙ୍କୁ ପରିକ୍ରମା ପୁସ୍ତୁକ ପ୍ରଦାନ କରିବାର ବ୍ୟବସ୍ଥା ରହିବ ।