ଜି୨୦ ସମ୍ମିଳନୀରେ ଉଠିବ ଆଫଗାନିସ୍ତାନ ପ୍ରସଙ୍ଗ, ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆଫଗାନିସ୍ତାନ ପ୍ରସଙ୍ଗରେ ଇଟାଲି ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଘିଙ୍କ ସହ ଆଲୋଚନା କରିଛନ୍ତି । ତାଲିବାନ କାରଣରୁ ସୃଷ୍ଟି ହୋଇଥିବା ଅସ୍ଥିରତା ବାବଦରେ ଉଭୟ ନେତା କଥା ହୋଇଛନ୍ତି । ମେଦୀ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଆଫଗାନିସ୍ଥାନର ସାମ୍ପ୍ରତିକ ସ୍ଥିତିକୁ ନେଇ ସେମାନେ ଆଲୋଚନା କରିଛନ୍ତି । ଏହାସହ ଆଫଗାନିସ୍ତାନକୁ ନେଇ ଜି୨୦ରେ ସହଯୋଗ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍କରେ ଉଭୟ ଚର୍ଚ୍ଚା କରିଛନ୍ତି ।
ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଦୁଇ ନେତା ଫୋନ ଯୋଗେ ଆଫଗାନିସ୍ତାନ ପ୍ରସଙ୍ଗରେ ମହତତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ତାଲିବାନ ପାଇଁ ବିଶ୍ୱ ଓ ନିଜ ନିଜ ଦେଶରେ କିପରି ପ୍ରଭାବ ପଡିବ ସେନେଇ ଆଲୋକପାତ ହୋଇଛି । ଏହାସହ କାବୁଲ ବିସ୍ଫୋରଣକୁ ସେମାନେ ନିନ୍ଦା କରିବା ସହ ଆଫଗାନିସ୍ତାନରେ ଫସିଥିବା ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଜୋର୍ ଦେଇଥିଲେ ।
ପିଏମଓ ତରଫରୁ ଆହୁରି କୁହାଯାଇଛି ଯେ, ଆଫଗାନିସ୍ତାନ ଘଟଣାକ୍ରମ ପରେ ସୃଷ୍ଟ ପରିସ୍ଥିତି ମାନବତ୍ତା ଓ ସୁରକ୍ଷା ଉପରେ ସଙ୍କଟ ସୃଷ୍ଟି କରିଛି । ଏହାର ସମାଧାନ ପାଇଁ ଜି୨୦ ଓ ଅନ୍ତରାଷ୍ଟ୍ରୀୟ ସହଯୋଗିତାର ଆବଶ୍ୟକତା ରହିଛି । ଜି୨୦ ସହ ଜଡିତ ଜଳବାୟୁ ପରିବର୍ତ୍ତନ ବାବଦରେ ଦୁଇ ନେତା କଥା ହୋଇଛନ୍ତି । ସିଓପି-୨୬ ସମ୍ମିଳନୀ ବାବଦରେ ଉଭୟ ନେତା ସେମାନଙ୍କ ବିଚାରକୁ ଦର୍ଶାଇଥିଲେ । ଆଲୋଚନାରେ ମୋଦୀ ଇଟାଲୀର ଜି୨୦ ଚର୍ଚ୍ଚାକୁ ସଫଳତାର ସହ ଆଗକୁ ବଢାଇବା ପାଇଁ ଧନ୍ୟବାଦ ଦେଇଥିଲେ ।
ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଲଗାତର ଭାବେ ବିଶ୍ୱ ନେତାଙ୍କ ସହ ଚର୍ଚ୍ଚା କରୁଛନ୍ତି । ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଜର୍ମାନ ଚାନ୍ସସେଲର ଆଞ୍ଜେଲା ମର୍କେଲଙ୍କ ସହ ପୂର୍ବରୁ କଥା ହୋଇଥିଲେ ।