କନ୍ଧମାଳ ଲୋକସଭାରୁ ଇତି ସାମନ୍ତ, ରଣପୁରରୁ ଅରୁଣ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭାରେ ୩୩% ମହିଳା ସ୍ଥାନ ସଂରକ୍ଷଣକୁ ନେଇ କରିଥିବା ପ୍ରତିଶ୍ରୁତି ପୁରଣ କରିବା ଉଦ୍ୟମ ଜାରୀରଖିଛନ୍ତି । ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ମନସ୍ତ କରିସାରିଲେଣି । ତେଣୁ ଓଡ଼ିଶାର ଜଣେ ଜଣାଶୁଣା ସମାଜ ସେବୀ ଓ କାଦମ୍ବିନୀ ପତ୍ରିକାର ପ୍ରତିଷ୍ଠାତ୍ରୀ ଇତି ସାମନ୍ତଙ୍କୁ ଏଥର କନ୍ଧମାଳ ଲୋକସଭାରୁ ବିଜେଡି ପ୍ରାର୍ଥୀ କରିବ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି । ଇତି ସାମନ୍ତ ବର୍ତ୍ତମାନ ରାଜ୍ୟସଭା ଏମ.ପି ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଏବଂ ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା । ଅଚ୍ୟୁତ ସାମନ୍ତ ଆଦିବାସୀ ପିଲାଙ୍କୁ ମାଗଣାରେ ପାଠ ପଢ଼ିବା ସହ ସେମାନଙ୍କ ଉନ୍ନତି ପାଇଁ ଖେଳକୁଦ କୁ ମଧ୍ୟ ପ୍ରାଧାନ୍ୟ ଦେଉଥିବା କାହାକୁ ଅଛୁପା ନାହିଁ । ଅଚ୍ୟୁତ ସାମନ୍ତଙ୍କ ଆଦିବାସୀଙ୍କ ସହ ନିବିଡ଼ ସମ୍ପର୍କ ଥିବାରୁ ଇତି ସାମନ୍ତଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରାଗଲେ ଇତିଙ୍କ ଜିତିବା ଏକ ପ୍ରକାର ନିଶ୍ଚିତ ବୋଲି ବିଜେଡି ଆଶା ରଖିଛି ।

ସୂଚନା ଅନୁଯାୟୀ, ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ ନୟାଗଡ଼ ରାଜା ହେମେନ୍ଦ୍ର ଚନ୍ଦ୍ର ସିଂ । ହେମେନ୍ଦ୍ର କନ୍ଧମାଳ ଲୋକସଭା ଆସନରୁ ବିଜୟ ଲାଭ କରିଥିଲେ । ମାତ୍ର ୫ମାସ ମଧ୍ୟରେ ଦୁର୍ଭାଗ୍ୟ ବଶତଃ ତାଙ୍କର ଅକାଳ ବିୟୋଗ ଘଟିଥିଲା । ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ରାଣୀ ପ୍ରତୁଷା ଦେବୀ ସେହି ଆସନରୁ ନିର୍ବାଚିତ ହୋଇଥିଲେ । ପ୍ରତୁଷା ଦେବୀ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି କନ୍ଧମାଳ ଲୋକସଭା ଟିକେଟ ବଦଳରେ ନୟାଗଡ ବିଧାୟକ ପାର୍ଥି ଭାବେ ଲଢ଼ିବାକୁ ଆଶାବ୍ୟକ୍ତ କରିଥିଲେ । ସ୍ୱାମୀ ହେମେନ୍ଦ୍ରଙ୍କ ନିଜ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ କାମ କରିବାର ପ୍ରବଳ ଇଚ୍ଛା ଥିଲା । ତେଣୁ ସ୍ୱାମୀଙ୍କ ଶେଷ ଇଚ୍ଛା ପୁରଣ କରିବାକୁ ସେ ଇଛୁକ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ପ୍ରତୁଷା ଦେବୀଙ୍କ କଥାକୁ ମୁଖ୍ୟମନ୍ତ୍ରୀ ଯଦି ସମ୍ମାନ ଦେଇ ନୟାଗଡ଼ ବିଧାୟକ ଟିକେଟ ଦିଅନ୍ତି ତେବେ ଅରୁଣ ସାହୁଙ୍କୁ ରଣପୁର ଆସନକୁ ପଠାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅରୁଣ ଏହାକୁ ନାପସନ୍ଦ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ସମସ୍ତଙ୍କୁ ଜଣା ନୟାଗଡ଼ ଅରୁଣଙ୍କ ଗଡ । ଏହା ନୟାଗଡ଼ର ମୁଖ୍ୟ ଆସନ ହୋଇଥିବାରୁ ଅରୁଣ ଅନ୍ୟତ୍ର ଯିବାକୁ ଚାହୁଁ ନାହାନ୍ତି । ବିଗତ ୧୫ ବର୍ଷର ସଙ୍ଗଠନ କୁ ହାତଛଡା କରିବାକୁ ଅରୁଣ ନାରାଜ । ଦେଖିବାକୁ ବକିରହିଲା ମୁଖ୍ୟମନ୍ତ୍ରୀ କିପରି ଏହି ସମସ୍ୟାର ସମାଧାନ କରିବେ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave a comment