ଇସ୍କନ ବିରୋଧରେ ଏଭଳି ଅଭିଯୋଗ କରିବା ପରେ ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲା ଇସ୍କନ
ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛି ଇସ୍କନ। ନିଜ ଗୋଶାଳାରୁ ଇସ୍କନ କଂସେଇ ମାନଙ୍କୁ ଗାଈ ଯୋଗାଣ କରୁଛି ବୋଲି ମେନକା ଗମ୍ଭୀର ଅଭିଯୋଗ କରିଥିଲେ । ଇସ୍କନ କହିଛି, ମେନକାଙ୍କ ଏପରି ଅପମାନଜନକ, ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ତାଙ୍କର ଏପରି ଅଭିଯୋଗ ଦ୍ୱାରା ଆମର ବିଶ୍ବବ୍ୟାପୀ ଭକ୍ତ, ସମର୍ଥକ ଏବଂ ଶୁଭେଚ୍ଛୁ ସମୁଦାୟ ଗଭୀର ମର୍ମାହତ ହୋଇଛନ୍ତି । ଇସ୍କନ ବିରୋଧରେ ଏପରି ବିଭ୍ରାନ୍ତିକର ପ୍ରଚାର ବିରୋଧରେ ନ୍ୟାୟ ପାଇବାକୁ ଆମେ ଯଥାସମ୍ଭବ ପ୍ରୟାସ କରିବୁ।
ଏହାପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରାଣୀ ଅଧିକାର କର୍ମୀ ମେନକା ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ଏହି ଭିଡ଼ିଓରେ କହିଥିଲେ ଆନ୍ତର୍ଜାତିକ କୃଷ୍ଣ ଚେତନା ସମାଜ ‘ଇସ୍କନ’ ସଂସ୍ଥା ଦୁନିଆର ସବୁଠୁ ବଡ଼ ଠକ ସଂଗଠନ। ଇସ୍କନ ଦ୍ବାରା ବିଭିନ୍ନ ସ୍ଥାନରେ ଗୋଶାଳା କରାଯାଇଥିଲେ ହେଁ ଗାଈମାନଙ୍କୁ କଂସେଇ ହାତକୁ ଟେକି ଦିଆଯାଉଛି । ଇସ୍କନ ଅନେକ ଗୋଶାଳା ପ୍ରତିଷ୍ଠା କରିଛି, ଏଥିପାଇଁ ଜମି ଯୋଗାଇବା ସହ ସରକାର ସେମାନଙ୍କୁ ସବୁ ସୁବିଧା ଦେଉଛନ୍ତି । କିନ୍ତୁ ଇସ୍କନ ନିଜ ଗୋଶାଳାରେ ଥିବା ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେଉ ନାହିଁ । କ୍ଷୀର ଦେଉନଥିବା ଗାଈ ଗୁଡ଼ିକୁ ସେମାନେ କଂସେଇ ମାନଙ୍କୁ ବିକି ଦିଅନ୍ତି ବୋଲି ମେନକା ଗାନ୍ଧୀ ଅଭିଯୋଗ କରିଥିଲେ ।
କିଛି ଦିନ ତଳେ ମେନକା ଆନ୍ଧ୍ରପ୍ରଦେଶର ଅନନ୍ତପୁରସ୍ଥିତ ଏକ ଗୋଶାଳା ପରିଦର୍ଶନରେ ଯାଇଥିଲେ। ସେଠାରେ ଗୋଟିଏ ବି ବୁଢ଼ି ଗାଈ ପାଇ ନଥିଲେ। ସେଠାରେ ଯେତିକି ଗାଈ ଥିଲେ ସମସ୍ତେ କ୍ଷୀର ଦେଉଥିଲେ। କିନ୍ତୁ ଗୋଶାଳାରେ କୌଣସି ବୁଢି ଗାଈ ନଥିବାରୁ ସେମାନଙ୍କୁ ବିକ୍ରି କରି ଦିଆଯାଉଥିବା ସ୍ପଷ୍ଟ ହୋଇଛି ବୋଲି ମେନକା କହିଛନ୍ତି। ଯଦି ଇସ୍କନର ଗୋଟିଏ ଗୋଶାଳାର ଅବସ୍ଥା ଏଭଳି ରହିଛି ତେବେ ସାରା ଦେଶରେ ରହିଥିବା ଅନ୍ୟ ଗୋଶାଳାର ଗାଈ ସଂଖ୍ୟା ଦେଖିଲେ ଏଗୁଡିକରୁ କେତେ ସଂଖ୍ୟାରେ ଗାଈ ବିକ୍ରି କରାଯାଉଛି ତାହା ଭାବିବା ଉଚିତ ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ମେନକା ଜାରି କରିଥିବା ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି। ମେନକାଙ୍କ ଏଭଳି ଗୁରୁତର ଅଭିଯୋଗ ପରେ ଇସ୍କନ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏହାକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି। ଇସ୍କନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ , ଇସ୍କନ କେବଳ ଭାରତରେ ନୁହେଁ ; ବରଂ ସାରା ବିଶ୍ୱରେ ଗାଈ ଏବଂ ବଳଦଙ୍କୁ ସୁରକ୍ଷା ଯୋଗାଇବା ସହ ସେମାନଙ୍କ ଦେଖାରଖା କରିଥାଏ। ଏଠାରେ କୌଣସି ଗାଈଙ୍କୁ କଂସେଇକୁ ବିକ୍ରି କରାଯାଏ ନାହିଁ। ଇସ୍କନ ଭାରତରେ କେବଳ ୬୦ରୁ ଅଧିକ ଗୋଶାଳା ଚଳାଇଛି। ବହୁ ଗାଈଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ଇସ୍କନ ଗୋଶାଳାକୁ ଅଣାଯାଇ ସେମାନଙ୍କ ଚିକିତ୍ସା କରାଯିବା ସହ ଯତ୍ନ ନିଆଯାଉଛି। ତେଣୁ ମେନକା ଯାହା କିଛି କହିଛନ୍ତି ତାହାର କୌଣସି ଭିତ୍ତି ନାହିଁ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି।