ଆଇପିଏଲ୍-୨୨: ଜାଡେଜାଙ୍କୁ ସିଏସକେର ଅଧିନାୟକ ଦାୟିତ୍ୱ

0

ମୁମ୍ବାଇ : ଦିନକ ପରେ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ । ଉଦ୍ଘାଟନୀ ମୁକାବିଲାରେ ୪ ଥରର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସକେ) ୨ ଥରର ଚାମ୍ପିଅନ୍ ଟିମ୍ କୋଲ୍କାତା ନାଇଟ୍ ରାଇଡର୍ସକୁ ଭେଟିବ । ତେବେ ଏହି ମୁକାବିଲାର ଅବ୍ୟବହିତ ପୂର୍ବରୁ ସିଏସକେରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଦଳର ସର୍ବଶ୍ରେଷ୍ଠ ତଥା ଆଇପିଏଲ୍ର ଦ୍ୱିତୀୟ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କ ପଦ ଛାଡ଼ିଛନ୍ତି । ଏଥିସହ ନୂଆ ସିଜନ୍ର ଶୁଭାରମ୍ଭ ନୂଆ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ୱରେ ଦଳ କରିବାକୁ ଯାଉଛି। ଏନେଇ ଗୁରୁବାର ସିଏସକେ ପକ୍ଷରୁ ଟ୍ୱିଟର୍ ମାଧ୍ୟମରେ ସୂଚନା ଦିଆଯାଇଛି । ୯.୮ କୋଟି ଟଙ୍କାରେ ୨୦୧୨ ଅକ୍ସନ୍ରେ ସିଏସକେରେ ସାମିଲ୍ ହୋଇଥିବା ଜାଡେଜାଙ୍କୁ ଚଳିତ ସିଜନ୍ ପାଇଁ ଦଳ ୧୬ କୋଟି ଟଙ୍କାରେ ରିଟେନ୍ କରିଥିଲା । ଏଥିସହ ଦଳର ଅଧିନାୟକ ପଦ ଜର୍ସି ୭ (ଧୋନି)ଠାରୁ ଜର୍ସି ୮ (ଜାଡେଜା)କୁ ହସ୍ତାନ୍ତର ହୋଇଛି । ଆଇପିଏଲ୍ର ଉଦ୍ଘାଟନୀ ସଂସ୍କରଣ ପାଇଁ ହୋଇଥିବା ଅକ୍ସନ୍ରେ ଧୋନିଙ୍କୁ ସିଏସକେ ସର୍ବାଧିକ ଦାମ୍ ଦେଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଆଇପିଏଲ୍ର ପ୍ରତିଟି ସିଜନ୍ରେ ଦଳକୁ ଧୋନି ନେତୃତ୍ୱ ଦେଇଆସିଛନ୍ତି । ତାଙ୍କ ନେତୃତ୍ୱରେ ସିଏସକେ ୨୦୪ଟିରୁ ରେକର୍ଡ ୧୨୧ଟି ମ୍ୟାଚ୍ ଜିତିପାରିଛି ।
ସର୍ବପ୍ରଥମେ ଦଳ ଗତ ୨୦୧୦ରେ ଚାମ୍ପିଅନ୍ ହୋଇଥିବା ବେଳେ ପରେ ୨୦୧୧, ୨୦୧୮ ଓ ୨୦୨୧ରେ ମଧ୍ୟ ଟାଇଟଲ୍ ହାସଲ କରିଛି । ଏହାଛଡ଼ା ଦଳ ଦୁଇ ଥର (୨୦୧୦ ଓ ୨୦୧୪) ଚାମ୍ପିଅନ୍ସ ଲିଗ୍ ଟି-୨୦ରେ ମଧ୍ୟ ଟାଇଟଲ୍ ଜିତିଛି । ଏଥିସହ ଜାଡେଜା ଦଳର ତୃତୀୟ ଅଧିନାୟକ ହୋଇଛନ୍ତି । ପୂର୍ବରୁ ଧୋନିଙ୍କ ଅନୁପସ୍ଥିତିରେ ୨୦୧୨ ଅକ୍ଟୋବରରେ ଚାମ୍ପିଅନ୍ସ ଲିଗ୍ରେ ସୁରେଶ ରାଇନା ଦଳର ନେତୃତ୍ୱ ନେଇଥିଲେ । ଜାଡେଜା ଗତ ଦୁଇଟି ସିଜନ୍ରେ ବେଶ୍ ଚମତ୍କାର ଫର୍ମରେ ରହିଥିବାରୁ ଶେଷରେ ଧୋନି ତାଙ୍କୁ ହିଁ ନିଜ ଉତ୍ତରାଧିକାରୀ ବାଛିଛନ୍ତି । ସେ ୨୦୨୦ ଓ ୨୦୨୧ରେ ଯଥାକ୍ରମେ ୨୩୨ ଓ ୨୨୭ ରନ୍ କରିବା ସହ ଦୁଇଟି ସିଜନ୍ରେ ମୋଟ ୧୯ଟି ୱିକେଟ୍ ନେଇଛନ୍ତି । ଗତ ବର୍ଷ ୱାଙ୍ଖେଡେ ଷ୍ଟାଡିୟମ୍ଠାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବିପକ୍ଷରେ ମାତ୍ର ୨୮ ବଲ୍ରେ ୬୨ ରନ୍ର ଇନିଂସ ଦଳର ସଫଳତାରେ ଜାଡେଜାଙ୍କ ଅତୁଳନୀୟ ଅବଦାନର ଏକ ଉଜ୍ଜ୍ୱଳ ଉଦାହରଣ ।

Leave a comment