ଆଇପିଏଲ୍-୧୫: ଟେବଲ୍ ଟପରେ ଗୁଜରାଟ

0

ମୁମ୍ବାଇ : ଚଳିତ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣରେ ଗୁରୁବାର ୨୪ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଗୁଜରାଟ ଟାଇଟାନ୍ସ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ଗୁଜରାଟ ୪ ୱିକେଟ୍ରେ ୧୯୨ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ୯ଟି ୱିକେଟ୍ ହରାଇ ୧୫୫ ରନ୍ କରିପାରିଥିଲା । ଏଥିସହ ପଞ୍ଚମ ମ୍ୟାଚ୍ରେ ଗୁଜରାଟ ତା’ର ଚତୁର୍ଥ ବିଜୟ ହାସଲ କରି ୮ ପଏଣ୍ଟ୍ ଟେବଲ୍ ଶୀର୍ଷରେ ପହଞ୍ଚିବା ସହ ରାଜସ୍ଥାନକୁ ତୃତୀୟ ସ୍ଥାନକୁ ଠେଲିଦେଇଛି ।

ଦଳୀୟ ସ୍କୋର୍ ୧୫ରେ ପହଞ୍ଚିବା ବେଳକୁ ଗୁଜରାଟ ଓପନର ମାଥ୍ୟୁ ୱେଡ୍ (୧୨) ଓ ବିଜୟ ଶଙ୍କର (୨)ଙ୍କ ୱିକେଟ୍ ହରାଇସାରିଥିଲା । ଏହି ସମୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ୟତମ ଓପନର ଶୁବମାନ ଗିଲଙ୍କ ସହ ମିଶି ୩୮ ରନ୍ ଯୋଡ଼ିଥିଲେ । ଏହି ସମୟରେ ଗିଲ୍ ବ୍ୟକ୍ତିଗତ ଭାବେ ମାତ୍ର ୧୩ ରନ୍ରେ ବିଦାୟ ନେଇଥିଲେ । କିନ୍ତୁ ଏହି ୱିକେଟ୍ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଅଭିନବ ମନୋହର ଓ ହାର୍ଦ୍ଦିକଙ୍କ ମଧ୍ୟରେ ୮୬ ରନ୍ର ଜବରଦସ୍ତ ଭାଗୀଦାରୀ ହେବା ଫଳରେ ଗୁଜରାଟ ବଡ଼ ସ୍କୋର୍ ଆଡ଼କୁ ଗତି କରିଥିଲା । ମାତ୍ର ୨୮ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୪୩ ରନ୍ କରି ମନୋହର ଆଉଟ୍ ହୋଇଥିଲେ ମଧ୍ୟ ହାର୍ଦ୍ଦିକ ଶେଷ ପର୍ଯ୍ୟନ୍ତ ପିଚ୍ରେ ରହିଥିଲେ । ଫଳସ୍ୱରୂପ ଗୁଜରାଟ ଏକ ବଡ଼ ଟାର୍ଗେଟ୍ ଦେଇପାରିଥିଲା । ହାର୍ଦ୍ଦିକ ଓ ଡେଭିଡ୍ ମିଲରଙ୍କ ମଧ୍ୟରେ ବି ଆଉ ଏକ ବଡ଼ ଭାଗୀଦାରୀ ହୋଇଥିଲା । ଉଭୟ ମାତ୍ର ୨୫ଟି ବଲ୍ରେ ଅବିଭାଜିତ ୬୩ ରନ୍ ଯୋଡ଼ିଥିଲେ । ହାର୍ଦ୍ଦିକ ୫୨ଟି ବଲ୍ରେ ୮ଟି ଚୌକା ଓ ୪ଟି ଛକା ଜରିଆରେ ୮୭ ରନ୍ କରିଥିବା ବେଳେ ମିଲର୍ ମାତ୍ର ୧୪ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ଲଗାଇ ୩୧ ରନ୍ କରିଥିଲେ ।

ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ୍, ୟୁଜବେନ୍ଦ୍ର ଚହଲ୍ ଓ ରିୟାନ୍ ପରାଗ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୧୯୩ ରନ୍ର ବିଜୟ ଲକ୍ଷ୍ୟ ପାଇଥିବା ରାଜସ୍ଥାନ ପକ୍ଷରୁ ଯଦିଓ ଓପନର ଜୋସ୍ ବଟଲର୍ ମାତ୍ର ୨୪ଟି ବଲ୍ରେ ୮ଟି ଚୌକା ଓ ୩ଟି ଛକା ସହାୟତାରେ ୫୪ ରନ୍ କରିଥିଲେ । କିନ୍ତୁ ତାଙ୍କ ୱିକେଟ୍ ପତନ ପରେ ଆଉ କେହି ବଡ଼ ଇନିଂସ ଖେଳିବାରେ ସଫଳ ହୋଇ ନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିମରୋନ୍ ହେଟମେୟର୍ ୧୭ଟି ବଲ୍ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୯ ରନ୍ କରିଥିବା ବେଳେ ଆହତ ଟ୍ରେଣ୍ଟ୍ ବୋଲ୍ଟଙ୍କ ସ୍ଥାନରେ ଖେଳିଥିବା ଜେମ୍ସ ନିଶାମ୍ ଗୋଟିଏ ଚୌକା ସହ ୧୭, ରିୟାନ୍ ପରାଗ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୮ ଏବଂ ଅଧିନାୟକ ସଞ୍ଜୁ ସାମ୍ସନ୍ ଗୋଟିଏ ଛକା ସହ ୧୧ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ ଲକି ଫର୍ଗୁସନ୍ ଓ ୟଶ୍ ଦୟାଲ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Leave a comment