ସମ୍ ହସ୍ପିଟାଲ୍ରେ ଅନ୍ତର୍ଜାତୀୟ ଉଚ୍ଚ ରକ୍ତଚାପ ଦିବସ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଭେଷଜ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ଅନ୍ତର୍ଜାତୀୟ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଉପଯୁକ୍ତ ଖାଦ୍ୟ ନ ଖାଇବା, ବ୍ୟାୟାମ ନ କରିବା ଓ ଆଳସ୍ୟ ହିଁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରୁଛି । ସମଗ୍ର ବିଶ୍ୱରେ ଉଚ୍ଚ ରକ୍ତଚାପ ସମସ୍ୟା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବୟସ୍କ ଠାରୁ ଆରମ୍ଭ କରି କିଶୋରମାନେ ମଧ୍ୟ ଏହି ରୋଗରେ ପୀଡ଼ିତ । ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ଆଳସ୍ୟ, ଅତ୍ୟଧିକ ତୈଳ ଓ ଚର୍ବିଯୁକ୍ତ ଖାଦ୍ୟ, ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବା, ଅନିଦ୍ରା ରହିବା, ଏସି ପ୍ରକୋଷ୍ଠରେ ଅଧିକ ସମୟ କାର୍ଯ୍ୟ କରିବା ମଧ୍ୟ ଉଚ୍ଚ ରକ୍ତଚାପ ପାଇଁ କାରଣ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ଏକ ସୁସ୍ଥ ସୁନ୍ଦର ନିରୋଗ ଜୀବନଟିଏ ପାଇଁ କମ୍ ଲବଣଯୁକ୍ତ ଖାଦ୍ୟ, ନିୟମିତ ବ୍ୟାୟାମ, ଯୋଗାଭ୍ୟାସ, ପ୍ରାତଃ ଭ୍ରମଣ, ସୁଷମ ଖାଦ୍ୟ ଓ ପ୍ରଚୁର ପାଣି ପିଇବାର ଆବଶ୍ୟକତା ରହିଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୋଆର ପ୍ରୋ-ଚାନ୍ସେଲର ତଥା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ ମତବ୍ୟକ୍ତ କରିଛନ୍ତି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ବ୍ୟସ୍ତବହୁଳ ଜୀବନରେ ଅନେକ ଚିନ୍ତା ଯୋଗୁଁ ସୁସ୍ଥ ଭାବେ ବଞ୍ଚିବା କଷ୍ଟକର ହୋଇଉଠୁଛି । ତେଣୁ ଏନେଇ ସମ୍ ହସ୍ପିଟାଲ୍ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ଭେଷଜ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସମିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମେଡିସିନ୍ ତଥା ଅନ୍ୟାନ୍ୟ ବିଭାଗର ଡାକ୍ତର ଏବଂ ପାରାମେଡିକ୍ସମାନେ ଅଂଶ ଗ୍ରହଣ କରିଥିଲେ ।

Leave a comment