ରେମୁଣା ବିଜେଡ଼ି ପ୍ରାର୍ଥି ବଦଳିବା ସମ୍ଭାବନା, ଦୀପକ ମଲ୍ଲିକଙ୍କ ତଥ୍ୟ ସଂଗ୍ରହ କରୁଛି ସର୍ବେକ୍ଷଣ ସଂସ୍ଥା
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ହେଲେ ଏବେଠୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି । ବିଶେଷ କରି ଦଳୀୟ ଟିକେଟ୍ ହାତେଇବା ପାଇଁ ବିଭିନ୍ନ ଆଶାୟୀ ମାନେ ସେମାନଙ୍କର ଲବି ଏବେ ଯୋରଦାର କରୁଛନ୍ତି । ତେବେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆଶାୟୀ ମାନେ ଦଳୀୟ ଟିକେଟ ପାଇଁ ପୁରା ଯୋର ଲଗାଇ ଦେଇଛନ୍ତି । ବିଶେଷ କରି ବିଜେଡି ଟିକେଟ ପାଇଁ ଦୁଇ ଗଣ୍ଡା ଆଶାୟୀ ମୁଣ୍ଡ ଟେକିଛନ୍ତି । ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଧାଂଶୁ ଶେଖର ପରିଡା ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ । କିନ୍ତୁ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିସ୍କାର କରିଛନ୍ତି । ଫଳରେ ଆଗାମୀ ନିର୍ବାଚନରେ ସୁଧାଂଶୁ ଶେଖର ପରିଡାଙ୍କୁ ବିଜେଡି ଟିକେଟ ମିଳିବା ସମ୍ଭାବନା କ୍ଷୀଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ସୁଧାଂଶୁଙ୍କ ଉତରାଧିକାରୀ ହେବା ପାଇଁ ବିଜେଡିରେ ଏବେ ଛକାପଞ୍ଝା ଲାଗି ରହିଛି । ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଯୁବନେତା ଦୀପକ ମଲ୍ଲିକ,ସମିତିସଭ୍ୟ ଶାନ୍ତା ଦାସ, ସାମ୍ବାଦିକ ବଂଶିଧର ଦଳେଇ, ଯୁବନେତା ଚନ୍ଦନ ମଲ୍ଲିକ ଓ ପ୍ରଫେସର ଶତୃଘ୍ନ ମଲ୍ଲିକ ପ୍ରମୁଖ ବିଜେଡି ଟିକେଟ୍ ପାଇଁ ଆଶାୟୀ ଅଛନ୍ତି । ସୁଦର୍ଶନ ଜେନା ୨୦୦୯ ମସିହାରେ ରେମୁଣା ଆସନରୁ ବିଜେଡି ବିଧାୟକ ଭାବେ ବିଜୟୀ ହୋଇଥିଲେ । ତେବେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସଙ୍କ ଠାରୁ ପରାଜିତ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ବଂଚିତ ହୋଇଥିଲେ ସୁଦର୍ଶନ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ବିଜେଡିରୁ ବହିସ୍କାର ହେବା ପରେ ସୁଦର୍ଶନ ପୁଣି ଥରେ ଦଳୀୟ ଟିକେଟ ରେସରେ ଥିବା ଜଣା ପଡିଛି । ସେହିପରି ପ୍ରଫେସର ଶତୃଘ୍ନ ମଲ୍ଲିକ ମଧ୍ୟ ବିଜେଡି ଟିକେଟ ରେସରେ ଅଛନ୍ତି । ସେ ଏବେ ବାଲେଶ୍ୱର ବିଜେଡିର ଏସସି ଏସଟି ମୋର୍ଚ୍ଚାର ସଭାପତି ଅଛନ୍ତି । ପ୍ରଫେସର ମଲ୍ଲିକ ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପନା କରି ଅବସର ପରେ ବିଜେଡିରେ ସାମିଲ ହୋଇଥିଲେ । ସେ ୨୦୦୯ରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଏଥିରେ ସଫଳତା ମିଳିନାହିଁ । ତେବେ ରେମୁଣା ଆସନ ପାଇଁ ଯୁବନେତା ଇଂ ଦୀପକ ମଲ୍ଲିକଙ୍କ ନାମକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଇଂ ଦୀପକ ମଲ୍ଲିକ ଆଇଆଇଟି ଖଡଗପୁରରେ ଇଞ୍ଜିନୀୟର ଶିକ୍ଷାଲାଭ କରିବା ପରେ ସେ ଭୁବନେଶ୍ୱରରେ ଏକ ଷ୍ଟାଟଅପ କମ୍ପାନୀ ଖୋଲିଛନ୍ତି । ବହୁ ଯୁବକଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି । ସେ ରାଜନୀତିକୁ ଆସି ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଶ୍ରୀ ମଲ୍ଲିକ ୨୦୧୪ ରେ ବିଜେପିରେ ସାମିଲ ହୋଇଥିଲେ । ହେଲେ ସେ ବିଜେପିକୁ ଅଳ୍ପଦିନ ପରେ ପରିତ୍ୟାଗ କରିଥିଲେ । ଦୀପକ ମଲ୍ଲିକଙ୍କ ବାପା ସିମୁଳିଆ ବ୍ଲକର ବିଜେପି ସମର୍ଥୀତ ବ୍ଲକ ଅଧ୍ୟକ୍ଷ ଅଛନ୍ତି । ଯଦି ଦୀପକଙ୍କୁ ବିଜେଡି ଟିକେଟ ମିଳେ ତେବେ ତାଙ୍କ ବାପା ବିଜେପି ଛାଡି ବିଜେଡିରେ ଯୋଗ ଦେଇ ପାରନ୍ତି । ଅପର ପକ୍ଷରେ ରେମୁଣାରେ ଦୀପକ ମଲ୍ଲିକଙ୍କ ଲୋକପ୍ରିୟତା ମଧ୍ୟ ରହିଛି । କେବଳ ସେତିକି ନୁହେଁ ଦୀପକ ପ୍ରତିଦିନ ରେମୁଣାରେ ବିଭିନ୍ନ ସାମାଜିକ କାର୍ଯ୍ୟ ସହ ସଭା ସମିତିରେ ମଧ୍ୟ ଲିପ୍ତ ରହୁଛନ୍ତି । ତାହାଛଡା ଦୀପକ ମଲ୍ଲିକଙ୍କୁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ଉତମ ସମ୍ପର୍କ ରହିଛି । ଦୀପକଙ୍କ ପ୍ରାର୍ଥୀତ୍ୱକୁ କେତେକ ବିଜେଡି ନେତା ଓ ଅଫିସର ଲବି ମଧ୍ୟ ସମର୍ଥନ କରୁଛନ୍ତି । ଅପର ପକ୍ଷରେ ରେମୁଣାରେ ବିଜେଡିରେ ଏକାଧିକ ଆଶାୟୀ ଥିବାରୁ ଦଳ ପାଇଁ ଅଡୁଆ ସୃଷ୍ଟି ହୋଇଛି । ସେହିପରି ବିଜେପି ଟିକେଟ ପାଇଁ ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ଓ ଇଂ ବିଜୟ ସେଠୀ ପ୍ରମୁଖ ଦାବିଦାର ଅଛନ୍ତି । ତେବେ କଂଗ୍ରେସ ଏହି ଆସନରେ ବେଶ ଦୁର୍ବଳ ଥିବାରୁ ଏଠାରେ କଂଗ୍ରେସ ଟିକେଟ୍ ପାଇଁ କିଛି ସମସ୍ୟା ନାହିଁ । ରେମୁଣା ନିର୍ବାଚନ ମଣ୍ଡଳୀଟି ଏସସି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀଟି ପୁର୍ନଗଠନ ହୋଇଥିଲା । ଅଦ୍ୟାବଧି ଏହି ଆସନରେ ଦୁଇ ଥର ବିଜେଡି ବାଜିମାତ୍ କରିଥିବା ବେଳେ ବିଜେପି ଥରୁଟିଏ ବିଜୟ ଲାଭ କରିଛି । ଆସନ୍ତା ନିର୍ବାଚନରେ ଏହି ଆସନରେ ବିଜେଡି ଓ ବିଜେଡି ମଧ୍ୟରେ ସିଧାସଳଖ ମୁକାବଲା ହେବ ବୋଲି କୁହାଯାଉଛି । ତେବେ ୨୦୨୪ ନିର୍ବାଚନରେ କିଏ ବାଜି ମାରିବ ତାହାକୁ ନେଇ ଏବେଠୁ ଚର୍ଚ୍ଚା ଯୋର ଧରିଛି ।