ବିଶିଷ୍ଟ ସାହିତ୍ୟିକ ଇନ୍ଦୁଭୂଷଣ କରଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶିଷ୍ଟ ସାହିତ୍ୟିକ ଇନ୍ଦୁଭୂଷଣ କର ଶୁକ୍ରବାର ଇହଲୀଳା ସମ୍ବରଣ କରିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ୨ଟାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଖଡା ପଞ୍ଚାୟତ ଅଧୀନ ଚଣ୍ଡିପୁର ଗାଁର ଯୋଗେନ୍ଦ୍ରନାଥ କର ଓ ନୀରବାଳା କରଙ୍କ ଔରସରୁ ୧୯୩୫ ମସିହା ମାର୍ଚ୍ଚ ୧୨ରେ ଜନ୍ମ ଗ୍ରହଣ କରିଥିଲେ ଇନ୍ଦୁଭୂଷଣ ।

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଥାକାର ମନୋଜ ଦାସଙ୍କ ସେ ସହପାଠୀ ଥିଲେ । ୧୯୫୯ ମସିହାରେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ୧୯୬୦ରେ ଜୁନ ୧ରେ ପ୍ରାଶାସନିକ ଅଧିକାରୀ ଭାବେ ଯୋଗଦେଇଥିଲେ । ୧୯୭୧ରେ “ବିନ୍ଦୁ’ ନାମକ ଏକ ପତ୍ରିକାର ସମ୍ପାଦନା କରିଥିଲେ । ୧୯୯୧ରେ ‘ନିସଙ୍ଗ ଆକାଶ’ କବିତା ଗ୍ରନ୍ଥ ଥିଲା ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ସୀତାକାନ୍ତ ମହାପାତ୍ରଙ୍କ “ଶବ୍ଦର ଆକାଶକୁ’ ବଙ୍ଗଳାରେ ଅନୁବାଦ, ଶକ୍ତି ଚଟ୍ଟପାଧ୍ୟାୟଙ୍କ “ଯାଇପାରେ କାହିଁକି ଯିବି’, ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ “ଉଲଙ୍ଗ ରାଜା’କୁ ଓଡ଼ିଆରେ ଅନୁବାଦ କରିଛନ୍ତି ।

ରବୀନ୍ଦ୍ରନାଥ ସେନାପତିଙ୍କ ରମ୍ୟ ରଚନାକୁ ବଙ୍ଗଳାରେ “ଆଜକେର ଦୁନିଆ’କୁ ଅନୁବାଦ କରିଛନ୍ତି । ବିନ୍ଦୁ, ନବ ଗୁଞ୍ଜର (ଓଡ଼ିଆ), ଇମେଜ, ଆର୍ଟ ହେରିଟେଜ ଅଫ ଓଡ଼ିଶା, ଦ ଟ୍ରାଡିସନ ଅଫ ହକ, ଇନ୍‌ଟାକ (ଇଂରାଜୀ) ଇତ୍ୟାଦି ପତ୍ରିକାରେ ସଫଳ ସମ୍ପାଦନା କରିଛନ୍ତି । ୧୯୯୦ରୁ ୧୯୯୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ ‘ସାହିତ୍ୟାୟନ’ର ପ୍ରଥମ ସଭାପତି ମଧ୍ୟ ଥିଲେ ।

Leave a comment