ମାର୍କସିଟ ଦେବା ବିଳମ୍ବ କରିବାକୁ କଲେଜ ପ୍ରିନ୍ସିପାଲକୁ ଜାଳିଦେଲେ ଛାତ୍ର

0

ମାର୍କସିଟ ଦେବା ବିଳମ୍ବ କରିବାକୁ କଲେଜ ପ୍ରିନ୍ସିପାଲଙ୍କ ଦେହରେ ନିଆଁ ଲଗାଇଦେଲେ ପୂର୍ବତନ ଛାତ୍ର । ଇନ୍ଦୋରର ବିଏମ୍‌ ଫାର୍ମାସି କଲେଜର ପ୍ରିନ୍ସିପାଲ ବିମୁକ୍ତା ଶର୍ମାଙ୍କୁ ଜଣେ ପୂର୍ବତନ ଛାତ୍ର ନିଆଁ ଲଗାଇ ଦେଇଥିଲେ । ଶରୀରର ୯୦ ପ୍ରତିଶତ ପୋଡିଯାଇଥିବା ବେଳେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି ବୋଲି ଖବର ମିଳିଛି ।

ପୋଲିସ କହିବା ଅନୁସାରେ, ବି ଫାର୍ମା ମାର୍କସିଟ୍ ପାଇ ନ ଥିବା ଅଭିଯୋଗ କରି ସିମ୍ରୋଲ୍ ଅଞ୍ଚଳର ଆଶୁତୋଷ ଶ୍ରୀବାସ୍ତବ ନାମରେ ଜଣେ ୨୪ ବର୍ଷୀୟ ଛାତ୍ର ଫେବୃଆରୀ୨୦ ତାରିଖ ଦିନ ୫୪ ବର୍ଷୀୟ ପ୍ରିନ୍ସିପାଲ ବିମୁକ୍ତାଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ବିମୁକ୍ତାଙ୍କ ଶରୀର ପ୍ରାୟ ୯୦% ପ‌ୋଡ଼ିଯାଇଥିଲା। ଘଟଣା ପରେ ପରେ କଲେଜର ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ‘ଚୌତ୍ରମ୍ ହସ୍ପିଟାଲ୍’କୁ ରେଫର୍ କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି ।

ପ୍ରିନ୍ସିପାଲ୍ ବିମୁକ୍ତାଙ୍କ ପୋଡ଼ିବା ବେଳେ ନିଜେ ପୋଡ଼ି ଆହତ ହୋଇଥିବା ଶ୍ରୀବାସ୍ତବଙ୍କୁ ‘ଏମ୍ ୱାଇ ହସ୍ପିଟାଲ୍’କୁ ନିଆଯାଇଥିଲା। ଗୁରୁବାର ଦିନ ହସ୍ପିଟାଲରୁ ତାଙ୍କୁ ଛାଡ଼ କରାଯିବା ପରେ ତୁରନ୍ତ ହାଜତକୁ ନିଆଯାଇଥିଲା।

ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ସହକାରୀ ସବ୍-ଇନ୍ସପେକ୍ଟରଙ୍କୁ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ନିଲମ୍ବନ କରାଯାଇଛି । ଶ୍ରୀବାସ୍ତବ ଧମକ ଦେଇଥିବା କଥା ଥାନାରେ ଅଭିଯୋଗ କରିଥିଲେ ବିମୁକ୍ତାଙ୍କ ଝିଅ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା କଥା ବିମୁକ୍ତାଙ୍କ ଝିଅ ଅଭିଯୋଗ ମଧ୍ୟ କରିଛନ୍ତି ।

Leave a comment