ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟିମ, ଓହରି ଗଲେ ଅଭିଜ୍ଞ ଉଇକେଟକିପର ମହେନ୍ଦ୍ର ସିଂ ଧୋନି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍ ଘୋଷଣା କରାଯାଇଛି । ୨ଟି ଟେଷ୍ଟ, ୩ଟି ଦିନିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଟିମ୍ ଘୋଷଣା କରାଯାଇଛି । ତିନୋଟି ଯାକ ଫର୍ମାଟ୍ରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହି ଟିମରେ ଶିଖର ଧାୱନଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍ରେ ସ୍ଥାନ ମିଳିଛି ।
ସେହିପରି ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଟେଷ୍ଟ୍ ମ୍ୟାଚ୍ରେ ଆଜିଙ୍କ୍ୟ ରାହାଣେଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଛି । ଟେଷ୍ଟ୍ ଟିମ୍ରେ ପୂଜାରା ବି ସାମିଲ ହୋଇଛନ୍ତି । ୱିକେଟ୍ କିପର ଭାବେ ଋଷଭ ପନ୍ତଙ୍କୁ ତିନୋଟି ଯାକ ଫର୍ମାଟ୍ରେ ସ୍ଥାନ ମିଳିଥିବା ବେଳେ ଟେଷ୍ଟ୍ ଟିମ୍ରେ ୱିକେଟ୍ କିପର ଭାବେ ରିଦ୍ଧିମାନ ଶାହ ମଧ୍ୟ ସ୍ଥାନ ପାଇଛନ୍ତି ।ରବୀନ୍ଦ୍ର ଜାଡ଼େଜା ତିନୋଟି ଯାକ ଫର୍ମାଟ୍ରେ ସ୍ଥାନ ପାଇଛନ୍ତି । ଯଶପ୍ରୀତ୍ ବୁମ୍ରା କେବଳ ଟେଷ୍ଟ୍ ଟିମ୍ରେ ସ୍ଥାନ ପାଇଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଓ ଇଶାନ୍ତ ଶର୍ମାଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି । ସେହିପରି ଖଲିଲ ଅହମଦ, ନଭଦୀପ ସାଇନି, ମନୀଷ ପାଣ୍ଡେ ଓ ଶ୍ରେୟସ ଆୟରଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍ରେ ନିଆଯାଇଛି ।
ସୂଚନାଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଯାଇଛନ୍ତି ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି । ବିଶ୍ୱକପ୍ରେ ସେମିଫାଇନାଲରେ ପରାସ୍ତ ହୋଇ ଭାରତ ବିଦାୟ ନେବା ପରେ ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିଲା । ତେବେ ପାରାମିଲିଟାରୀ ରେଜିମେଣ୍ଟରେ ନିଯୁକ୍ତି ପାଇଥିବାରୁ ଧୋନୀ ବିଭିନ୍ନ କାର୍ଯ୍ୟପାଇ ୨ ମାସ ସୈନିକଙ୍କ ସହ ସମୟ ବିତାଇବେ । ତେଣୁ ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରି ଯାଇଥିବା ଜଣାପଡିଛି ।