ଏହି ଗାଁର ଲୋକ ପ୍ରତିଦିନ ଜାତୀୟ ସଙ୍ଗୀତ ଗାନ କରନ୍ତି

0

କୌଣସି ବ୍ୟକ୍ତି ହୁଅନ୍ତୁ ବା ସମୂହ ଦେଶ ଭକ୍ତିରେ କିଛିବି କରିବାକୁ ଆଗେଇ ଆସନ୍ତି। ଦେଶର ସମ୍ମାନ ରକ୍ଷା ପାଇଁ ଭାରତୀୟଙ୍କୁ ଯେଉଁଠି ଯେତିକି ସୁଯୋଗ ମିଳେ ତାହାର ହାତଛଡ଼ା କରନ୍ତି ନାହିଁ। ଆପଣ ଦେଶ ଭକ୍ତିର ଅନେକ ଉଦାହରଣ ଦେଖିଥିବେ ହେଲେ ଆଜି ଆମେ ଦୁଇଟି ଗାଁ ବିଷୟରେ କହୁଛୁ ଯାହାକୁ ଜାଣିଲେ ଆପଣଙ୍କ ଛାତି ମଧ୍ୟ ଭାରତୀୟ ବୋଲି ଗର୍ବରେ ଫୁଲି ଉଠିବ। ଗୋଟିଏ ହେଉଛି ଛତିଶଗଡ଼ର ଗାରିଆବନ୍ଧ ଜିଲ୍ଲା ଶ୍ୟାମ ନଗର ଗାଁ ଆଉ ଗୋଟିଏ ହେଉଛି ହରିୟାଣାର ଫରିଦାବାଦ ଜିଲ୍ଲାର ଭଙ୍କପୁର ଗାଁ। ଏହି ଦୁଇଟି ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ପ୍ରତି ଦିନ ସକାଳେ ଜାତୀୟ ସଙ୍ଗୀତ ଗାନ କରାଯାଏ। ଶ୍ୟାମ ନଗର ଗାଁରେ ସକାଳ ଠିକ୍‌ ୮ଟା ୫୯ରେ ଜାତୀୟ ସଙ୍ଗୀତ ବାଜି ଉଠିଥାଏ। ଏଥିପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଖାପାଖି ୨୦ଟି ଲାଉଡସ୍ପିକର ଖଞ୍ଜାଯାଇଛି। ପ୍ରଥମେ ସୂଚନା ଦେଇ ଲୋକଙ୍କୁ ସଚେତନ କରାଯିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଏ। ପିଲାଠାରୁ ବୟସ୍କ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଜାତୀୟ ସଙ୍ଗୀତ ଶୁଣିବା ମାତ୍ରେ ସମ୍ମାନ ଜଣାଇ ସାବଧାନ ପୋଜିଶନରେ ଠିଆ ହୋଇଯାନ୍ତି। ଏପରିକି ଯେତେଦୂର ପର୍ଯ୍ୟନ୍ତ ଏହା ଶୁଣାଯାଏ, ସେତେଦୂର ପର୍ଯ୍ୟନ୍ତ ଲୋକେ ସମ୍ମାନ ଜଣାଇ ଠିଆ ହୋଇଯାଆନ୍ତି। ରାଜଧାନୀ ରାୟପୁରଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏହି ଗାଁରେ ଲୋକେ ଚାନ୍ଦା କରି ବିଭିନ୍ନ ସ୍ଥାନରେ ଲାଉଡସ୍ପିକର ଲଗାଇବାର ବ୍ୟବସ୍ଥା କରିଛନ୍ତି। ସେହିପରି ୫୦୦୦ ଜନସଂଖ୍ୟା ବିଶିଷ୍ଟ ହରିୟାଣାର ଫରିଦାବାଦ ଜିଲ୍ଲାର ଭଙ୍କପୁର ଗାଁରେ ପ୍ରତିଦିନ ସକାଳ ୮ ରେ ଲାଉଡ ସ୍ପିକରରେ ଜାତୀୟ ସଂଗୀତ ବଜାଯିବା ସହ ସମଗ୍ର ଗ୍ରାମ ଏକତ୍ର ହୋଇ ଜାତୀୟ ସଂଗୀତ ଗାନ କରନ୍ତି। ଗ୍ରାମବାସୀ ଏଥି ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁର ବିଭିନ୍ନ ସ୍ଥାନରେ ୨୦ ଟି ଲାଉଡ ସ୍ପିକର ଲଗାଇଛନ୍ତି। ପ୍ରତିଦିନ ସକାଳୁ ପିଲାରୁ ବୟସ୍କ ଏକାଠି ହୋଇ ଜାତୀୟ ସଙ୍ଗୀତ ଗାନ କରନ୍ତି। ଏଥିରୁ ମହିଳାମାନେ ମଧ୍ୟ ବାଦ ପଡ଼ନ୍ତି ନାହିଁ।

Leave a comment