ପାଟକୁରାରେ ସରିଲା ପ୍ରଚାର, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟା ୫ଟାରେ ଶେଷ ହୋଇଛି ପ୍ରଚାର । ଆସନ୍ତା ୨୦ ତାରିଖରେ ନିର୍ବାଚନ । ଏହି ଆସନରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୩୦୯ ବୁଥ୍ରେ ମତଦାନ ହେବ । ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ସହିତ ଅନ୍ୟ ପ୍ରାର୍ଥୀ ଶେଷ ଦିବସରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ଶେଷ ଦିନରେ ଘରକୁ ଘର ବୁଲିବା ଓ ବୁଥ୍ ଲେଭଲ ପ୍ରଚାର ଛାଡ଼ି ସମସ୍ତେ ରୋଡ ଶୋକୁ ଗୁରୁତ୍ୱ ଦେଇଛନ୍ତି । ଏହି ଆସନ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ରାଜ୍ୟସଭା ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ପାଟକୁରାରେ ବିଜେଡି ଓ ବିଜେପିର ପରସ୍ପର ପ୍ରତି ଆକ୍ଷେପ ନରମି ଥିଲେ ମଧ୍ୟ ଉଭୟ ଦଳ ମଧ୍ୟରେ ଟକ୍କର ଏଠାରେ ଦେଖିବାକୁ ମିଳିଛି ।
ଏହି ନିର୍ବାଚନମଣ୍ଡଳୀର ୨, ୪୪, ୭୪୭ ଭୋଟରଙ୍କ ପାଇଁ ୨୭୮ଟି ସ୍ଥାନରେ ୩୦୯ ବୁଥ୍ ଖୋଲାଯାଇଛି । ଶନିବାର ଭୋଟଗ୍ରହଣ ଥିବାରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ସବୁ ବୁଥ୍ରେ ପୋଲିଂ କର୍ମଚାରୀମାନେ ଆସି ପହଞ୍ଚିଛନ୍ତି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୩୦ଟି ସେକ୍ଟର ଗଠନ କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ମୋଟ ୬୮୨ କର୍ମଚାରୀ ନିୟୋଜିତ ହୋଇଥିବା ରିଟର୍ନିଂ ଅଫିସର ଜ୍ୟୋତି ପ୍ରକାଶ ମହାପାତ୍ର ସୂଚନା ଦେଇଛନ୍ତି ।