ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ୮୦୪ କୋଟିର କିସ୍ତି
ଭୁବନେଶ୍ୱର : ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଯୋଜନା ଟଙ୍କା । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୮୦୪ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଗତ ସାଧାରଣ ନିର୍ବାଚନରେ କାଳିଆ ଯୋଜନା ଏକ ଗେମଚେଞ୍ଜର ସାବ୍ୟସ୍ତ ହୋଇଥିଲା। ଅକ୍ଷୟ ତୃତୀୟା ଅବସରରେ ଆମର ଖାଦ୍ୟଦାତା ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ଭେଟି ଦେଇଛନ୍ତି । କାଳିଆ ଟଙ୍କା ପ୍ରଦାନ କରିବା ସହ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର ୩୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୭୪୩ କୋଟି ଟଙ୍କା ପଠାଯାଇଥିଲା । ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଥିଲା ।