ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜେପି ନଡ୍ଡା, ମୋଦି ଜୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି

0

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କନ୍ଧମାଳ ତୁମୁଡିବନ୍ଧ ଓ ଖୋର୍ଦ୍ଧା ବାଣପୁରରେ ଦଳୀୟ ସମାବେଶରେ ଯୋଗ ଦେଇ ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ପ୍ରଶ୍ନ କରି କହିଛନ୍ତି ଯେ, ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଚାବି କୁଆଡେ ଗଲା? ଓଡ଼ିଆ ବିଶ୍ୱବିଦ୍ୟାଳୟ ଘୋଷଣା, କୁଆଡ଼େ ଗଲା ନୟାଗଡ଼ ଚିନିକଳ ଆଦି ଏମିତି ଅନେକ ପ୍ରସଙ୍ଗରେ ଜବାବ ମାଗିଛନ୍ତି ।

ସେହିପରି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଥିବା ନଡ୍ଡା କହିିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେଡିର ଶତାୟୁ ପ୍ରସଙ୍ଗରେ ଜବାବ ରଖିଛନ୍ତି ।

ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଘନଘନ ପ୍ରଶ୍ନ, ଏକାଧିକ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି । ଏହି ସମାଲୋଚନା ପଛରେ କେବଳ ଯେ, ରାଜ୍ୟ ସରକାରଙ୍କୁ ଘେରିବାର ଲକ୍ଷ୍ୟ ରଖିଛି ବିଜେପି, ତାହା ନୁହେଁ । ବରଂ ଜେପି ନଡ୍ଡାଙ୍କ ଏହି ପ୍ରଶ୍ନବାଣ ପଛରେ ରହିଛି ୨୦୨୪ ପାଇଁ ରଣନୀତି । ତାହା ହୋଇନଥିଲେ, ବିଜେପି ଗୋଟି ଗୋଟି କରି ସେହି ସବୁ ପ୍ରସଙ୍ଗ ଉଠାଇଥାନ୍ତା କେମିତି ଯାହାକୁ ନେଇ ଶାସକ ବିଜେଡି ଦଳ ହରଡ଼ଘଣାରେ ପଡ଼ିଛି । ଆୟୁଷ୍ମାନ ଯୋଜନାରେ ଓଡ଼ିଶା ସାମିଲ ନହେବା । ଏନସିଆରବି ରିପୋର୍ଟକୁ ସାମ୍ନାରେ ରଖି ମହିଳା ନିର୍ଯାତନା ଓ ମାନବ ଚାଲାଣ ପ୍ରସଙ୍ଗ ଉଠାଇବା । ଓଡ଼ିଶା ପୁଲିସ ଉପରେ ଆକ୍ରମଣ କଥା ଉଠାଇ, ପୁଲିସର ସୁରକ୍ଷା କଥା କହିବା, ସ୍ପଷ୍ଟ କରିଦେଉଛି ଯେ, ବିଜେଡି ସହ ମୁକାବିଲା କରିବା ପାଇଁ ବଡ଼ ଯୋଜନା କରୁଛି ଭାରତୀୟ ଜନତା ପାର୍ଟି ।

କନ୍ଧମାଳର ତୁମୁଡ଼ିବନ୍ଧ ସଭାରେ ଯେଉଁ ଭଳି ଆଭିମୁଖ୍ୟ ରଖିଥିଲେ, ବାଣପୁରରେ ସମାନ ଆଭିମୁଖ୍ୟ ଦୋହରାଇଥିଲେ ଜେପି ନଡ୍ଡା ।

ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା କହିଛନ୍ତି, “ଆଜି ମୋଦି ଜୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି। ଯେଉଁମାନେ ୨୦୦ ବର୍ଷ ଧରି ଭାରତ ଉପରେ ଶାସନ କରିଥିଲେ, ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ୫ତମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।” ନଡ୍ଡା କହିଛନ୍ତି, ମୁଁ ସେହି ରାଜ୍ୟ ପରିଦର୍ଶନ କରି ଖୁସି ଅନୁଭବ କରୁଛି ଯେଉଁଠାରେ ବହୁ ସଂଖ୍ୟାରେ ଆଦିବାସୀ ବାସ କରନ୍ତି ଏବଂ ଆମ ମାନନୀୟ ରାଷ୍ଟ୍ରପତି ମଧ୍ୟ ଏହି ସମ୍ପ୍ରଦାୟର ଅଟନ୍ତି।

ନଡ୍ଡା ଆହୁରୀ କହିଛନ୍ତି, ଆଇଏମ୍ଏଫ୍ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟରେ ୧ ପ୍ରତିଶତରୁ ବି କମ୍ ହୋଇଛି। କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ୮୦ କୋଟି ଲୋକଙ୍କୁ ଖାଦ୍ୟ ଶସ୍ୟରେ ପରିପୂର୍ଣ୍ଣ ରଖିଥିଲେ, ଫଳସ୍ୱରୂପ ଏହା ସମ୍ଭବ ହୋଇପାରିଛି।

ଏସବୁ ଭିତରେ ଗୋଟିଏ ପାଦ ଆଗକୁ ଯାଇ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଉତ୍ତର ଦେବା ସହ ପାଲଟା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟଦଳ ଗୁଡ଼ିକର ଫୋକସରେ ଓଡ଼ିଶାର ଉନ୍ନତି ନଥିବା ନେଇ ଯେଉଁ ଅଭିଯୋଗ କରିଥିଲେ, ଓଡ଼ିଶାର ଉନ୍ନତି ପାଇଁ ବିଜେପି କ’ଣ ସବୁ କରିଛି ତାର ଏକ ଲମ୍ବା ତାଲିକା ରଖିଛନ୍ତି । ସେହିପରି ବିଜେଡିର ଶତାୟୁ ପ୍ରସଙ୍ଗରେ ବି ମତ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବିଜେପିର ସମାଲୋଚନା ଭିତରେ ପାଲଟା କଟାକ୍ଷ କରିଛନ୍ତି ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ନିଜେ କ୍ଷମତାରେ ଥିବା ରାଜ୍ୟରେ ବିଜେପି ପ୍ରଭାବ ପକାଇପାରୁନି । ହିମାଚଳ ପ୍ରଦେଶରେ ନଗଦ ହାରିଛି, ଓଡ଼ିଶାରେ କ’ଣ ପ୍ରଭାବ ପକାଇପାରିବ? ଦଳର ସହଯୋଗୀମାନେ ବିଜେପିଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି । ଏଥର ୩ଶହରୁ ଅଧିକ ସିଟ୍ ପାଇବେ କି ନାହିଁ ତାହା ବି ସନ୍ଦେହ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି । ତେବେ ରାଜନୀତିର ଏହି ବୟାନବାଜୀ ଭିତରେ ଦେଖିବାର କଥା ଆଗାମୀ ସାଧାରଣ ନିର୍ବାଚନରେ ଜନତା ମନ ଜିଣିବାରେ ଭାରତୀୟ ଜନତା ପାର୍ଟି କେତେ ସଫଳ ହେଉଛି ।

Leave a comment