ଚାକିରି କାଳ ମଧ୍ୟରେ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ‘ଗ୍ରୁପ୍-ଡି’ରେ ନିଯୁକ୍ତି

ଓଡିଶା ଫାଷ୍ଟ( ବ୍ୟୁରୋ): ଚାକିରି କାଳ ମଧ୍ୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପରିବାର ସଦସ୍ୟଙ୍କୁ କେବଳ ‘ଗ୍ରୁପ୍-ଡି’ରେ ଅନୁକମ୍ପାମୂଳକ ନିଯୁକ୍ତି ସୁବିଧା ମିଳିବ । ଏଥିପାଇଁ ‘ଗ୍ରୁଫ-ଡି’ ବର୍ଗରେ ୫୦ ପ୍ରତିଶତ ପଦବୀକୁ ସଂରକ୍ଷିତ ରଖାଯିବ। ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ଓଡ଼ିଶା ବେସାମରିକ ସେବା(ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ ଯେ, ଆଜିର କ୍ୟାବିନେଟ ବୈଠକରେ ମୋଟ ୯ଟି ପ୍ରସ୍ତାବ ଆସିଥିଲା। ଓଡ଼ିଶା ଶିକ୍ଷା ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ପରବର୍ତ୍ତୀ ବୈଠକକୁ ସ୍ଥଗିତ ରଖାଗଲା ଓ ଅନ୍ୟ ସମସ୍ତ ପ୍ରସ୍ତାବ ଗୃହୀତ ହୋଇଛି। ପୂର୍ବରୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଓଡ଼ିଶା ବେସାମରିକ ସେବା(ପୁନଃ ଥଇଥାନ ସହାୟତା) ନିୟମାବଳୀ-୧୯୯୦ରେ ପ୍ରାବଧାନ ଥିଲା। କିନ୍ତୁ ରାଜ୍ୟ କ୍ୟାବିନେଟ ଏଥିରେ ସଂଶୋଧନ କରି କେବଳ ଚତୁର୍ଥ ଶ୍ରେଣୀ ବର୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଗ୍ରୁଫ-ଡିରେ ଏଥିପାଇଁ ଉଦ୍ଦିଷ୍ଟ ୧୦ପ୍ରତିଶତ ପଦବୀକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିଯୋଗୁ ପ୍ରଚଳିତ ଥିବା ନିୟମାବଳୀ-୧୯୯୦କୁ ପରିବର୍ତ୍ତନ କରାଯାଇ ଓଡ଼ିଶା ବେସାମରିକ ସେବା(ପୁନଃ ଥଇଥାନ ସହାୟତା)-୨୦୨୦ ପ୍ରଣୟନ କରାଗଲା।