ଅଦାଲତ ଅବମାନନାର ଉତ୍ତର ଦାଖଲ ପାଇଁ ସଚିବ କ୍ରିଷ୍ଣ କୁମାରଙ୍କ ନିର୍ଦ୍ଦେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ତ୍ତ ବିଭାଗରେ ପଡିରହିଥିବା ମାମଲାର ସମୀକ୍ଷା ଅବସରରେ ବିଭାଗୀୟ ଶାସନ ସଚିବ ଡକ୍ଟର କ୍ରିଷ୍ଣ କୁମାର ବିଭାଗୀୟ ଅଧିକାରୀମାନଙ୍କୁ ଚଳିତମାସ ଶେଷ ସୁଦ୍ଧା ଅଦାଲତ ଅବମାନନା ମାମଲାର ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ପୂର୍ତ୍ତ ବିଭାଗର ୬୮୦୦ ମାମଲାରୁ ୭୪ଟି ମାମଲା
ହ୍ରାସ ପାଇବ । ସମସ୍ତ ଅଦାଲତ ଅବମାନନା ମାମଲାର କାରଣ ଦର୍ଶାଅ ଉତ୍ତର ଚଳିତମାସ ୩୧ ତାରିଖ ସୁଦ୍ଧା ଅଦାଲତରେ ଦାଖଲ ପାଇଁ ଶ୍ରୀ କୁମାର କହିଛନ୍ତି ।
ସେହିଭଳି ମାମଲା ପରିଚାଳନା ପ୍ରକ୍ରିୟା ଯେଭଳି ତ୍ୱରାନ୍ୱିତ ହେବ ସେଥିପାଇଁ ବିଭିନ୍ନ ଶାଖାର ଅଧିକାରୀ ମାନଙ୍କର ଏଲ୍ଏମ୍ଏସ୍ ତାଲିମ କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ଅନ୍ୟ ବିଭାଗ ବିଶେଷକରି ବିଦ୍ୟାଳୟ ଓ ଗଣଶିକ୍ଷା, ଜଳସମ୍ପଦ, ଅର୍ଥ ବିଭାଗରେ ଥିବା ମାମଲା ବୋଝ କିଭଳି ହ୍ରାସ ପାଇଲା ତାହାକୁ ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ବିଭାଗୀୟ ସଚିବ କହିଛନ୍ତି ।
ଅପରପକ୍ଷରେ ଆଡଭୋକେଟ ଜେନେରାଲଙ୍କ ସହିତ ପରାମର୍ଶ କ୍ରମେ ସ୍ୱତନ୍ତ୍ର ପଦକ୍ଷେପ ନେଇ ମାମଲା ଗୁଡିକ ଯେଭଳି ଶୀଘ୍ର ଫଏସଲା ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବିଭାଗ ଉପରେ ଯେଭଳି ଆଉ ମାମଲା ବୋଝ ନବଢେ କିମ୍ବା ବିଭାଗୀୟ ଅଧିକାରୀମାନେ ମାମଲା ପାଇଁ ବିଭିନ୍ନ ଅଦାଲତକୁ ବାରମ୍ବାର ନଦଉଡନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ଡକ୍ଟର କୁମାର ସ୍ପଷ୍ଟ ଭାବେ କହିଛନ୍ତି ।
ଉଲ୍ଲେଖନୀୟ ଯେ ମାମଲା ଚାପ ଯୋଗୁଁ ପୂର୍ତ୍ତ ବିଭାଗରେ ଏବେ ଅଦାଲତି କାମ ବଢିବାରେ ଲାଗିଛି । ବିଶେଷକରି ଅଦାଲତ ଅବମାନନା ମାମଲା ଯୋଗୁଁ କର୍ତ୍ତୃପକ୍ଷ ଚିନ୍ତାରେ ଅଛନ୍ତି । କାରଣ ଠିକଣା ସମୟରେ ଅଦାଲତରେ ପକ୍ଷ ନରଖିଲେ ବରିଷ୍ଠ ଅଧିକାରୀମାନଙ୍କୁ କାଠଗଡାରେ ଛିଡା ହେବାକୁ ପଡିବ । ଦୀର୍ଘଦିନ ଧରି ମାମଲା ଫଏସଲା ଉପରେ ଗୁରୁତ୍ୱ ଦିଆଯାଉନଥିବାବେଲେ ଡକ୍ଟର କୁମାର କିନ୍ତୁ ଏହାକୁ ଅଗ୍ରାଧିକାର ଦେବା ସହିତ ବିଭାଗ କିଭଳି ମାମଲା ବୋଝରୁ ମୁକ୍ତ ହେବ ସେଥିନେଇ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛନ୍ତି ।