ରୋଡ୍‌ପତିରୁ କରୋଡପତି କିଭଳି ହେଲେ: ଭାଜପା । ରବର୍ଟ ଭଦ୍ରାଙ୍କୁ ଇଡିର ଜେରା, ପ୍ରିୟଙ୍କା କହିଲେ ସ୍ବାମୀଙ୍କୁ ସପୋର୍ଟ କରିବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଶାସକ ଦଳମାନେ ନିଜ ସ୍ବାର୍ଥସାଧନ ପାଇଁ ବ୍ୟବହାର କରୁଥିବା ଦେଖାଯାଉଛି । କଂଗ୍ରେସ ସରକାର ଥିବା ବେଳେ ସିବିଆଇ ଓ ଇଡ଼ିର ଦୁରୁପଯୋଗ କରୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ବି ସମାନ ସ୍ଥିତି ଦେଖାଦେଇଛି । କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ତଥା ବିଜନେସ୍‌ ମ୍ୟାନ୍‌ ରବର୍ଟ ଭଦ୍ରାଙ୍କୁ ବୁଧବାର ମନି ଲଣ୍ଡିରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିଛି । ପୂର୍ବରୁ ଭଦ୍ରାଙ୍କ ବିରୋଧରେ ଲଣ୍ଡନର ୮ଟି ସ୍ଥାନରେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ଅଭିଯୋଗ ରହିଛି । ବେଆଇନ ଭାବେ ବିଦେଶରେ ଏକାଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଇଡ଼ି ତାଙ୍କୁ ଜେରା କରିଛି । ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ପ୍ରିୟଙ୍କା ସ୍ବାମୀଙ୍କୁ ଏକ ଧଳା ଟୟୋଟାରେ ଇଡ଼ି କାର୍ଯ୍ୟାଳୟକୁ ଛାଡ଼ିବାକୁ ଯାଇଥିଲେ।

ଅପରପକ୍ଷରେ ଏଭଳି ଅଭିଯୋଗକୁ ରବର୍ଟ ଖଣ୍ଡନ କରିବା ସହ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କୁ ହଇରାଣ କରାଯାଉଥିବା କହିଛନ୍ତି । ଏ ସମ୍ପର୍କରେ ପ୍ରିୟଙ୍କା କହିଛନ୍ତି, ରବର୍ଟ ମୋ ଫ୍ୟାମିଲି । ଆଉ ମୁଁ ମୋ ଫ୍ୟାମିଲିକୁ ସପୋର୍ଟ କରିବି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରବର୍ଟଙ୍କୁ ସିବିଆଇ କିମ୍ବା ଇଡ଼ି ଗିରଫ କରିପାରିବ ନାହିଁ ଓ ରବର୍ଟ ତଦନ୍ତରେ ସହଯୋଗ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରବର୍ଟ ରୋଡ୍‌ପତିରୁ କରୋଡପତି କିଭଳି ହେଲେ ସେ ନେଇ ପ୍ରଶ୍ନ ଉଠାଇଛି ଭାଜପା ।

ସେହିପରି ପ୍ରିୟଙ୍କାଙ୍କ କଂଗ୍ରେସରେ ଯୋଗଦାନ ପରେ ଚିନ୍ତାରେ ବିଜେପି । ନିକଟରେ ତିନୋଟି ରାଜ୍ୟରେ ନିର୍ବାଚନ ହରିବା ପରେ ଭୋକ ବିକଳରେ ମୋଦି ସରକାର ତାଟିଆ କାମୁଡୁଛନ୍ତି ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ଚାଲିବା ସହ ଏହା ପ୍ରିୟଙ୍କା ଓ କଂଗ୍ରେସର ଛବିକୁ ମଳିନ କରିପାରିବ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

Leave a comment