କେତେ ସୁରକ୍ଷିତ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର, ବାରମ୍ବାର ବାରମ୍ବାର ଖସୁଛି ପଥର, ବାହାରୁନି ସମାଧାନର ବାଟ !
ପୁଣିଥରେ ପୁରୀ ଶ୍ରୀମନ୍ଦିରରୁ ଖସିଛି ପଥର । ତେବେ ଗତ ରବିବାର ସନ୍ଧ୍ୟାରେ ଜଗମୋହନର ଉପରଭାଗ ଚାଳିରୁ ଖସିଛି ଏହି ପଥର । ଯାହାର ଲମ୍ବ ପ୍ରାୟ ଦେଢଫୁଟ ହେଵା ନେଇ ଜଣାପଡିଛି। ତେବେ ଏହି ପଥରକୁ ଏଏସଆଇକୁ ହସ୍ତାନ୍ତର କରାଯାଇଥିଲେ ବି ଯାବତ ଏଏସଆଇ ସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି।
ତେବେ ଶ୍ରୀମନ୍ଦିରରୁ ପଥର ଖସିବା ଏହା ପ୍ରଥମ ଘଟଣା ନୁହଁ । ତେବେ ଏହା ପୂର୍ବରୁ ଏଭଳି ଘଟଣା ବହୁବାର ସାମ୍ନାକୁ ଆସିଛି । ଯାହାକୁ ନେଇ ମନ୍ଦିର ପ୍ରଶାସନ କିମ୍ବା ଏଏସଆଇ ସଂସ୍ଥା ତତ୍ପର ନଥିବା ଅନୁମାନ କରାଯାଉଛି ।
ସବୁଠାରୁ ବଡ କଥା ହେଲା ଯେ, ବର୍ତମାନ କାର୍ତ୍ତିକ ମାସ ଚାଲିଥିବାବେଳେ ଶ୍ରୀମନ୍ଦିରରେ ନାହିଁ ନ ଥିବା ଭିଡ ଲାଗିରହିଛି। ତେବେ ଏହାରି ମଧ୍ୟରେ ଏଭଳି ପଥର ଖସିବା କୌଣସି ଦୁର୍ଘଟଣା ଘଟିବ ଆଶଙ୍କା ମଧ୍ୟ କରାଯାଉଛି ।
ତେବେ ନିକଟରେ ଜଗମୋହନ ସଂରକ୍ଷଣ କାମ ଶେଷ ହୋଇଛି। ଏଥିରେ ଭିତରପଟେ ବିକଳ୍ପ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ବାହାର ଭାଗ ଏବେ ଅସୁରକ୍ଷିତ ତଥା ବିପଜ୍ଜନକ ରହିଛି। ଯାହାକୁ ନେଇ ଏଏସଆଇ ଏ ନେଇ ତତ୍ପର ନାହାନ୍ତି। ତେବେ ପରିକ୍ରମା ପ୍ରକଳ୍ପ ଲାଗି ମୁଖ୍ୟ ପ୍ରଶାସକ ବ୍ୟସ୍ତ ଥିବାବେଳେ କେତେବେଳେ ମନ୍ଦିରରେ ଫାଟ ସୃଷ୍ଟି ହେଲାଣି ତ କେତେବେଳେ ପଥର ଖସିଲାଣି, ତେବେ ଏହି ଘଟଣା ବାରମ୍ବାର ଘଟିଲେ ବି ଏଥିପ୍ରତି କାହାର ଦୃଷ୍ଟି ନାହିଁ ।