ଖୋଲିଲା ହୀରକୁଦ ଗେଟ, ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା
ଆଜି ହୀରକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି। ୫ ଟି ସୁଇସ୍ ଗେଟ୍ ଦେଇ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଦେଇ ନିଷ୍କାସନ ଆରମ୍ଭ ହୋଇଥିଲା। ଏହାପରେ ଜଳ ଭଣ୍ଡା ର ଲେଫ୍ଟ ସ୍ପିଲୱେରୁ ୩ ଟି ଏବଂ ରାଇଟ ସ୍ପିଲୱେରୁ ୨ ଟି ସୁଇସ ଗେଟ ଖୋଲିଛି। ବର୍ତ୍ତମାନ ହୀରାକୁଦରେ ୬୧୧.୫୮ ଫୁଟ୍ ଉପରେ ଜଳସ୍ତର ରହିଛି। ଓଡ଼ିଶା ଉପରେ ଆଜିଠାରୁ ଲଘୁଚାପର ପ୍ରଭାବ ହ୍ରାସ ପାଇବା ସହିତ ଏହା ଛତିଶଗଡ଼ ସମେତ ଏହା ସୀମାନ୍ତବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା କରାଇବ। ତେଣୁ ଧୀରେ ଧୀରେ ଅଧିକ ଗେଟ୍ ଦେଇ ଜଳ ନିଷ୍କାସିତ କରାଯିବାର ସମ୍ଭବନା ରହିଛି। ଅଧିକ ଗେଟ୍ ଖୋଲିଲେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଆଜି ହୀରାକୁଦରୁ ଛଡାଯାଉଥିବା ବନ୍ୟାଜଳ ମୁଣ୍ଡଳିକୁ ୩୬ ଘଣ୍ଟା ପରେ ପହଞ୍ଚିବ। ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ସତର୍କ କରାଯାଇଛି। ଏନେଇ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ। ଏନେଇ ଆଜି ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି।