ଅଧାରେ ରହିଗଲା ରଣବୀର-ଆଲିଆଙ୍କ ବାବା ମହାକାଳଙ୍କ ଦର୍ଶନ
ବଲିଉଡର ଲୋକପ୍ରିୟ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଙ୍ଗଳବାର ସନ୍ଧ୍ୟାରେ ମହାକାଳ ମନ୍ଦିର ପରିଦର୍ଶନ କରିବାକୁ ଉଜୈନରେ ପହଞ୍ଚିଥିଲେ । କିନ୍ତୁ ବିନା ଦର୍ଶନ କରି ସେମାନଙ୍କୁ ମନ୍ଦିରରୁ ଫେରିବାକୁ ପଡିଛି । କେବଳ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏବଂ ତାଙ୍କ ଟିମ୍ ଗର୍ଭଗୃହକୁ ଯାଇ ବାବା ମହାକାଳଙ୍କ ଦର୍ଶନ କରିପାରିଛନ୍ତି ।
ମିଳିଥିବା ସୂଚନାନୁସାରେ, ଆଲିଆ-ରଣବୀର ଏବଂ ଆୟାନ ମୁଖାର୍ଜୀଙ୍କ ଆଗମନ ପୂର୍ବରୁ ହିଁ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତାମାନେ ମହାକାଳ ମନ୍ଦିରର ମୁଖ୍ୟ ତଥା ଭିଭିଆଇପି ଫାଟକରେ ଜୋରଦାର ହଙ୍ଗମା କରିଥିଲେ, ଯାହା ପରେ ରଣବୀର-ଆଲିଆ ଏବଂ ଆୟାନ୍ ମୁଖାର୍ଜୀଙ୍କୁ ଉଜୈନ ଜିଲ୍ଲାପାଳ ଆଶିଷ ସିଂଙ୍କ ଘରେ ପହଞ୍ଚିବାକୁ ପଡିଥିଲା ।
ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ରଣବୀର ଏବଂ ଆଲିଆଙ୍କୁ କଳା ପତାକା ଦେଖାଇବା ଉଦ୍ଦେଶ୍ୟରେ ପହଞ୍ଚିଥିଲେ । ତେବେ ସାମାନ୍ୟ ବଳ ପ୍ରୟୋଗ କରି ପୋଲିସ ସେମାନଙ୍କୁ ଘଉଡାଇ ଦେଇଥିଲା । ବଜରଙ୍ଗ ଦଳର କର୍ମକର୍ତ୍ତା କହିଛନ୍ତି ଯେ, ‘‘ରଣବୀର କପୁର ନିଜେ କହିଛନ୍ତି ଯେ, ସେ ଗୋମାଂସ ଖାଉଛନ୍ତି । ଗୋମାଂସ ଖାଉଥିବା ଲୋକଙ୍କୁ ମନ୍ଦିରରେ କିପରି ପ୍ରବେଶ କରିବାକୁ ଦିଆଯାଉଛି, ଏହାର ଉତ୍ତର ପ୍ରଶାସନକୁ ଦେବାକୁ ପଡିବ ।’’
ଉଲ୍ଲେଖନୀୟ ଯେ, ଷ୍ଟାର ଦମ୍ପତି ଇନ୍ଦୋର ବିମାନ ବନ୍ଦରରୁ ସନ୍ଧ୍ୟା ୬:୩୦ରେ ଉଜୈନ ସ୍ଥିତ ବାବା ମହାକାଳଙ୍କ ଦର୍ଶନ ପାଇଁ ବାହାରିଥିଲେ । ଉଭୟ ଆଗାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ସଫଳତା ପାଇଁ ଭଗବାନଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ । ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ମଧ୍ୟ ତାଙ୍କ ସହ ଥିଲେ । ଉଜୈନରେ ପହଞ୍ଚିବା ପୂର୍ବରୁ ଏକ ଭିଡିଓ ରିଲିଜ୍ କରି ଏହି ଦମ୍ପତି ସେମାନଙ୍କ ଆଗମନ ବିଷୟରେ ସୂଚନା ଦେଇଥିଲେ । ଦୀର୍ଘ ଦିନର ସମ୍ପର୍କ ପରେ ଆଲିଆ ଏବଂ ରଣବୀର ଚଳିତ ବର୍ଷ ଏପ୍ରିଲ ୧୪ରେ ବିବାହ କରିଛନ୍ତି । ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ।