ଜାତିସଂଘରେ ହିନ୍ଦୀ ଭାଷା ସାମିଲ
ନ୍ୟୁୟର୍କ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶନିବାର ଜାତିସଂଘ ସାଧାରଣ ପରିଷଦରେ ହିନ୍ଦୀ ଭାଷା ପ୍ରସ୍ତାବକୁ ସ୍ବୀକୃତି ଦେଇଛି। ଏନେଇ ଜାତିସଂଘର ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି ସାଧାରଣ ସଭାରେ ଯୋଗ ଦେଇ ସୂଚନା ଦେଇଛନ୍ତି। ହିନ୍ଦୀ ସହିତ ବଙ୍ଗଳା ଉର୍ଦ୍ଦୁ ଭାଷାକୁ ମଧ୍ୟ ଅନୁମତି ଦିଆଯାଇଛି।
ଟିଏସ ତିରୁମୂର୍ତ୍ତି କହିଛନ୍ତି, ଚଳିତ ବର୍ଷ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାକୁ ସାମିଲ କରାଯାଇଛି। ବର୍ତ୍ତମାନ ଜାତିସଂଘର ସମସ୍ତ କାର୍ଯ୍ୟ ଓ ଜରୁରୀ ସୂଚନା ଏହି ଭାଷାରେ ପ୍ରକାଶ କରାଯିବ। ଜାତିସଂଘର ସ୍ବୀକୃତିକୁ ଭାରତ କୃତଜ୍ଞତା ଜଣାଇଛି। ସେ ଆହୁରି ମଧ୍ୟ କହିଛନ୍ତି ୨୦୧୮ ମସିହାରେ ଭାରତ ହିନ୍ଦୀ ଜାତିସଂଘ ପ୍ରକଳ୍ପ ଆରମ୍ଭ କରିଥିଲା। ମିଳିତ ଜାତିସଂଘରେ ବହୁଭାଷାବାଦକୁ ପ୍ରକୃତ ଅର୍ଥରେ ଗ୍ରହଣ କରିବା ଜରୁରୀ ଅଟେ ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ ଭାରତ ସମର୍ଥନ କରିବ। ମିଳିତ ଜାତିସଂଘ ସାଧାରଣ ପରିଷଦର ୬ଟି ଭାଷା ରହିଛି- ଆରବୀ, ଚାଇନିଜ, ଇଂରାଜୀ, ଫରାସୀ, ରୁଷୀୟ ଏବଂ ସ୍ପାନିସ।