ଫେରିଲେ ହିମାଂଶୁ ଲାଲ, ଅପରାଧୀ ଛାନିଆ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟାଇଗର ଭାବେ ପରିଚିତ ଆଇପିଏସ ଅଫିସର ହିମାଂଶୁ ଲାଲ ଫେରିବା ପରେ ଅପରାଧୀଙ୍କ ମହଲରେ ଛାନିଆ ପଶିଯାଇଛି । ୨୦୦୩ ବ୍ୟାଚର ଆଇପିଏସ ଅଫିସର ଶ୍ରୀଲାଲ ଭୁବନେଶ୍ୱରର ଡିସିପି ଥିବା ବେଳେ ଅପରାଧୀଙ୍କୁ ମୁହଁତୋଡ ଜବାବ ଦେଉଥିଲେ । ‘ଡିସିସନ ଅନ ସ୍ପଟ’ ନୀତିରେ ଲାଠିମାଡ ଠାରୁ ଆରମ୍ଭ କରି ଏନକାଉଣ୍ଟର ଅପରାଧୀଙ୍କୁ ସହର ଛାଡିବାକୁ ବାଧ୍ୟ କରୁଥିଲା ।
ଡିସିପି ପଦରୁ ବଦଳି ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଡେପୁଟେସନରୁ ଫେରିବା ପରେ ତାଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ସେ ଦାୟିତ୍ୱ ନେବା ପରେ ମୁଣ୍ଡ ଟେକୁଥିବା ଅପରାଧୀମାନେ ଛାନିଆ ହୋଇପଡିଛନ୍ତି । ହିମାଂଶୁଙ୍କ ପ୍ରତ୍ୟାବର୍ତ୍ତନକୁ ସହରବାସୀ ସ୍ୱାଗତ କରୁଥିବା ବେଳେ ଅପରାଧୀ ଓ ଅସାମାଜିକଙ୍କ ମନରେ କୋକୁଆଭୟ ଖେଳି ଯାଇଛି ।
ଉଲ୍ଲେଖଥାଉକି, ୨୦୦୮ ଏପ୍ରିଲରେ ଶ୍ରୀ ଲାଲ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ସେ ବଲାଙ୍ଗୀର ଏସପି ଭାବେ କାର୍ଯ୍ୟ କରିଥିଲେ । ଡିସିପି ଭାବେ ପ୍ରାୟ ୪ବର୍ଷ ଦାୟିତ୍ୱ ତୁଲାଇବା ପରେ ତାଙ୍କୁ ରାଉରାକେଲା ଏସପି ଭାବେ ବଦଳି କରାଯାଇଥିଲା । ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ । ସେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ସାରି ଓଡିଶା ଫେରିଛନ୍ତି । ଶ୍ରୀଲାଲ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରିଥିବାରୁ ତାଙ୍କର ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି ।