ଭୁଶୁଡିଲା ୪ ମହଲା କୋଠା, ୧୨ଯବାନଙ୍କ ସମେତ ୧୩ମୃତ

0

ଓଡିଶା ଫାଷ୍ଟ(ବ୍ୟୁରୋ): ହିମାଚଳ ପ୍ରଦେଶ ସୋଲାନ ଜିଲାର କୁମାରହାଟିଠାରେ ରବିବାର ଏକ କୋଠା ଭୁଶୁଡ଼ି ୧୨ଯବାନ ସମେତ ୧୩ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଉକ୍ତ ଘର ମାଲିକଙ୍କ ସ୍ତ୍ରୀ ଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି । ଲଗାଣ ବର୍ଷା ଯୋଗୁ ୪ମହଲା ବିଶିଷ୍ଟ ଏହି କୋଠା ଭୁଶୁଡ଼ି ପଡ଼ିଥିବା କୁହାଯାଉଛି । ଖବର ଲେଖା ହେବା ସୁଦ୍ଧା ଏନଡିଆରଏଫ୍, ଆର୍ମି ଏବଂ ପୋଲିସ୍‌ ମିଳିତ ଭାବେ ୪୨ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ୩୦ ଜଣ ଯବାନ ଥିବା ବେଳେ ୧୨ ଜଣ ସାଧାରଣ ନାଗରିକ ଅଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅପରପକ୍ଷରେ ଏବେ ବି ଭଗ୍ନାବଶେଷ ତଳେ ବହୁ ଲୋକ ଫଶିରହିଥିବାରୁ ଘଟଣାସ୍ଥଳରେ ରେସକ୍ୟୁ ଅପରେଶନ୍‌ ଜାରି ରହିଛି । ଏହି ଘଟଣାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏଥିସହ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଠାକୁର କହିଛନ୍ତି, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୂଳଦୁଆ ସୁଦୃଢ ନଥିବା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି ।

Leave a comment