ପୁରୁଣା ଗାଡିରେ ବି ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏଣିକି ପୁରୁଣା ଗାଡିରେ ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ। ଯିଏ ଆଇନ୍ ଉଲ୍ଲଙ୍ଘନ କରିବ ୫ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏଥର ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ବିନା କୌଣସି ଗାଡି ରାସ୍ତାରେ ଗଡିପାରିବ ନାହିଁ । ନୂଆ ପୁରୁଣା ସମସ୍ତ ଗାଡି ଏହି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟ।

ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମସ୍ତ ପୁରୁଣା ଗାଡ଼ିର ମାଲିକମାନଙ୍କୁ ୩ମାସ ସମୟ ଦିଆଯାଇଛି । ସେମାନେ ଏହି ଅବଧି ମଧ୍ୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ । ୨୦୧୯ ଏପ୍ରିଲ ପହିଲାରୁ ରାଜ୍ୟରେ ସମସ୍ତ ନୂଆ ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚଏସଆରପି) ବାଧ୍ୟତାମୂଳକ ହୋଇଛି । ପରିବହନ ବିଭାଗ ପକ୍ଷରୁ ସବୁ ପୁରୁଣା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ମଧ୍ୟ ଅବଧି ସ୍ଥିର ହୋଇଛି । ଆସନ୍ତା ଡିସେମ୍ବର ଶେଷ ଶୁଦ୍ଧା ରାଜ୍ୟର ସମସ୍ତ ଗାଡିରେ ଏହି ନୂଆ ନମ୍ବର ପ୍ଲେଟ ଲଗାଇବାକୁ କଡା ନିର୍ଦ୍ଦେଶ ରହିଛି।

ତେବେ ଏହି ନମ୍ବର ପ୍ଲେଟ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ୱୀକୃତିପ୍ରାପ୍ତ ସଂସ୍ଥା ଥିବାବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି। ସେହିପରି ନମ୍ବର ଅବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଆପ୍ ରକାଯାଇଛି। ଏସ୍‌ଆଇଏଏମ୍‌ ପୋର୍ଟାଲ (ସୋସାଇଟ୍ ଅଫ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫ୍ୟାକ୍ଚର୍ସ)ରେ ଆବେଦନ କରିବାକୁ ପଡିବ।

ଆବେଦନ ସମୟରେ ଗାଡି ଓ ଉକ୍ତ କମ୍ପାନୀ ବାବଦରେ ଉଲ୍ଲେଖ କରିବା ପରେ ଏନଏସ୍‌ଆର୍‌ପି ନମ୍ବର ପ୍ଲେଟ କେଉଁ ଭେଣ୍ଡରଙ୍କ ପାଖେ ହୋଇପାରିବ, କେଉଁଠି କେଉଁଠି ଶାଖା ରହିଛି ତାହା ପ୍ରଦର୍ଶିତ ହେବ। ଗାଡି ମାଲିକ ସେମାନଙ୍କ ସୁବିଧା ଅନୁସାରେ ଏଜେନ୍ସି ବାଛିବେ। ହେଲେ ଅନ୍ୟ କୌଣସି ରାଜ୍ୟର ଗାଡିର ଏଚଏସ୍‌ଆର୍‌ପି ପ୍ଲେଟ ଓଡିଶାରେ ମିଳିବ ନାହିଁ। ଯେଉଁମାନେ ଏନଓସି( ନୋ ଅବଜେକ୍ସନ ସାର୍ଟିଫିକେଟ) ଆଣିଥିବେ ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ। ତେବେ ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିବ। ଯେଉଁ ଗାଡିଗୁଡିକର ପଞ୍ଜିକରଣ ନମ୍ବରର ଶେଷ ଅଭ୍କ ୧ଓ ୨ ରହିଛି ସେହି ଗାଡି ଗୁଡିକ ଅଗଷ୍ଟ ୩୧ ସୁଦ୍ଧା ଏହି ନୂଆ ନମ୍ବର ପ୍ଲେଟ ଲଗାଇବେ।

ସେହିପରି ଶେଷ ଅଙ୍କ ୩ ଓ ୪ ଥିବ ସେମାନେ ଅକ୍ଟୋବର ୩୦ ସୁଦ୍ଧା ଲଗାଇବେ। ସେହିପରି ଯେଉଁ ଗାଡିଗୁଡିକର ଶେଷ ଅଙ୍କ ୫ ଓ ୬ ଥିବ ସେ ଗାଡିଗୁଡିକ ଅକ୍ଟୋବର ୩୧ ସୁଦ୍ଧା ଲଗାଇବେ।
ଶେଷ ନମ୍ବର ୭ ଓ ୮ ରହିଛି ସେମାନେ ନଭେମ୍ବର ୩୦ ତାରିଖ ସୁଦ୍ଧା ନିଜର ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ସେହିପରି ଯେଉଁ ପୁରୁଣା ଗାଡ଼ିର ନମ୍ବର ଶେଷ ୯ ଓ ୦ରେ ହେଉଛି ସେମାନେ ଡିସେମ୍ବର ୩୧ତାରିଖ ସୁଦ୍ଧା ନିଜର ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ ବୋଲି ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a comment