ଆଜିଠାରୁ ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍

ଭୁବନେଶ୍ୱର : ଶୁକ୍ରବାରଠାରୁ ଭୁବନେଶ୍ୱରର ୩ଟି ଗ୍ରାଉଣ୍ଡ୍ରେ ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍ (ଏଚ୍ଆଇଡବ୍ଲ୍ୟୁଏଲ୍) । ଆସନ୍ତା ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ଓଡ଼ିଶା ପୁଲିସ୍ ଓ ସ୍ପୋର୍ଟ୍ସ ଓଡ଼ିଶା ସମେତ ସମୁଦାୟ ୧୨ଟି ଦଳ ଭାଗ ନେଉଥିବା ବେଳେ ପ୍ରତିଦିନ ୩ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ସମ୍ପୂର୍ଣ୍ଣ ସଂସ୍କରଣରେ ସର୍ବମୋଟ ୬୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏହା ରାଉଣ୍ଡ୍ ରବିନ୍ ଲିଗ୍ ଭିତ୍ତିରେ ଖେଳାଯିବ । ଅର୍ଥାତ୍ ପ୍ରତି ଟିମ୍ ଅନ୍ୟ ଟିମ୍ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ ।
ଲିଗ୍ ପର୍ଯ୍ୟାୟ ଶେଷରେ ଶୀର୍ଷ ଟିମ୍କୁ ଚାମ୍ପିଅନ୍ ଘୋଷଣା କରାଯିବ । ମ୍ୟାଚ୍ଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍ ସହ ସପ୍ତମ ବାଟାଲିୟନ୍ ଓ କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍ରେ ଖେଳାଯିବ । ସେହିପରି ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ପିଆଇଏଫ୍ଏ ସ୍ପୋର୍ଟ୍ସ ଏଫ୍ସି ଓ ଇଣ୍ଡିଆନ୍ ଆରୋଜ୍ର ମହିଳା ଟିମ୍ ଅଂଶଗ୍ରହଣ କରୁଛନ୍ତି । ପ୍ରଥମ ଦିନରେ ଅପରାହ୍ଣ ୪ଟା ସମୟରେ ପିଆଇଏଫ୍ଏ ସ୍ପୋର୍ଟ୍ସ ଓ କିକ୍ଷ୍ଟାର୍ଟ୍ସ ଏଫ୍ସି ମଧ୍ୟରେ କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରଉଣ୍ଡ୍ରେ ଏବଂ ଏସ୍ଏସ୍ବି ୱିମେନ୍ ଏଫ୍ସି ଓ ହାନ୍ସ ୱିମେନ୍ ଏଫ୍ସି ମଧ୍ୟରେ ସପ୍ତମ ବାଟାଲିଅନ୍ ଗ୍ରାଉଣ୍ଡ୍ରେ ମୁକାବିଲା ଖେଳାଯିବ । ଏହାଛଡ଼ା ସନ୍ଧ୍ୟା ସାଢ଼େ ୭ଟା ବେଳେ ଦିନର ତୃତୀୟ ମ୍ୟାଚ୍ଟି କଳିଙ୍ଗ ଷ୍ଟାଡିୟମ୍ଠାରେ ଇଣ୍ଡିଆନ୍ ଆରୋଜ୍ ଓ ସିର୍ବୋଡେମ୍ ଏସ୍ସି ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଭାଗ ନେଉଥିବା ଓଡ଼ିଶା ପୁଲିସ୍ ଶନିବାର ବେଙ୍ଗାଲୁରୁଠାରେ ଖେଳାଯାଇଥିବା ଗତ ସଂସ୍କରଣର ଚାମ୍ପିଅନ୍ ଟିମ୍ ଗୋକୁଲମ୍ କେରଳ ଏଫ୍ସି ବିପକ୍ଷରେ ଏବଂ ସ୍ପୋର୍ଟ୍ସ ଓଡ଼ିଶା ଏଆର୍ଏ ଏଫ୍ସି ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ।
ଟୁର୍ଣ୍ଣାମେଣ୍ଟରେ ଖେଳାଯିବାକୁ ଥିବା ମ୍ୟାଚ୍ଗୁଡ଼ିକର ସିଧା ପ୍ରସାରଣ “ୟୁରୋସ୍ପୋର୍ଟ୍ସ ଇଣ୍ଡିଆ’ରେ କରାଯିବ ବୋଲି ଜଣାପଡ଼ିଛି । ଟୁର୍ଣ୍ଣାମେଣ୍ଟ୍ର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ଟିମ୍ର ଅଧିନାୟିକାଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କୁ ଆଇଡବ୍ଲ୍ୟୁଏଲ୍ରେ ଭଲ ପ୍ରଦର୍ଶନ ସକାଶେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଦେଇଛନ୍ତି । ଏହି ଅବସରରେ ଏଆଇଏଫ୍ଏଫ୍ର ସାଧାରଣ ସମ୍ପାଦକ ଅଭିଷେକ ଯାଦବ ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ଫୁଟବଲ୍ ଦଳର ଜର୍ସି ପ୍ରଦାନ କରିଥିଲେ ।