ଭାରତ ସୀମାରେ ନୂଆ ହେଲିକପ୍ଟର-ଡ୍ରୋନ୍ ମୁତୟନ କରିପାରେ ଚୀନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ସପ୍ତାହରେ ପ୍ରଥମ ଉଡ଼ାଣ କରିଥିବା ନବ-ବିକଶିତ ହେଲିକପ୍ଟର୍ ଡ୍ରୋନ୍‌କୁ ଚୀନ୍‌ ସିନୋ-ଇଣ୍ଡିଆ ସୀମାରେ ମୁତୟନ କରିପାରେ ବୋଲି ସୋମବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ନୁଉଜ୍’ ରିପୋର୍ଟ କରିଛି। ମାନବରହିତ ହେଲିକପ୍ଟର୍ ଏଆର୍୫୦୦ସି ୧୫୦୦୦ ଫୁଟ୍ ଉପରେ ଥାଇ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳକୁ ଆଗ୍ନେୟାସ୍ତ୍ର ନିକ୍ଷେପ କରିବା ସହ ଇଲେଟ୍ରୋନିକ୍ ସର୍କ୍ୟୁଟ୍ରିରେ ବାଧାସୃଷ୍ଟି କରିବାର କ୍ଷମତା ରହିଛି ବୋଲି ଏହି ‌ରିପୋର୍ଟରେ ଉଲ୍ଲେଖ ଅଛି। ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ସୀମାନ୍ତରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଚୀନ୍ ‘ଏଆର୍୫୦୦ସି’ ପରୀକ୍ଷାମୂଳକ ଉଡ଼ାଣ କରିଛି। ଗଲ୍‌ୱାନ୍ ଉପତ୍ୟକା ଅଞ୍ଚଳରେ ଚୀନ୍ ସୀମାରେଖା ଭିତରେ ଭାରତ ବେଆଇନ୍‌ ଭାବେ ପ୍ରତିରକ୍ଷା ପ୍ରତିଷ୍ଠାନ ନିର୍ମାଣ କରୁଥିବାର ଚୀନ୍ ସେନା ସେଠାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ଏହି ଗଣମାଧ୍ୟମ ଦାବି କରିଛି।

ଭାରତ ସିକିମ୍ ଓ ଲଦାଖ ସେକ୍ଟର୍‌ରେ ଉତ୍ତେଜନା ବଢ଼ାଉଥିବା କାରଣରୁ ଚୀନ୍ ସେଠାରେ ନୂତନ ଡ୍ରୋନ୍ ମୁତୟନ କରିବ ବୋଲି ଏହି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। କିନ୍ତୁ, ପଶ୍ଚିମ ଲଦାଖ ସେକ୍ଟର୍ କିଂବା ସିକିମ୍ ସେକ୍ଟର୍‌ ଠାରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା ସେପଟେ ଭାରତୀୟ ସେନା କୌଣସି ପ୍ରକାର କାର୍ଯ୍ୟକଳାପ କରୁନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗତ ସପ୍ତାହରେ କହିଥିଲେ।

Leave a comment