ଝାରସୁଗୁଡାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝାରସୁଗୁଡା ଜିଲ୍ଲାରେ ଆଜି ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦିନ ୧୧ଟାରେ ଭରଚୁଆଲ ମୋଡ଼ରେ ଝାରସୁଗୁଡା ଇଂଜିନିୟରିଂ ସ୍କୁଲ ଅଡିଟୋରୀୟମରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରିବା ସହ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହି ଅବସରରେ ୧୪୪ କୋଟିଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ୧୬୮କୋଟି ଟଙ୍କାରେ ହେବାକୁ ଥିବା ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ।
ଝାରସୁଗୁଡାରେ ଆୟୋଜିତ ସମାରୋହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଉପସ୍ଥିତ ରହି ୧୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିବେ। ଏହାପରେ ଝାରସୁଗୁଡା ଜିଲ୍ଲାରେ ୧ଲକ୍ଷ ୧୫ ହଜାର ୭୩୦ ଜଣଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ବିଭିନ୍ନ ପଞ୍ଚାୟତ ଓ ପୋରାଞ୍ଚଳରେ ପର୍ଯ୍ୟାୟ କ୍ରମେ ସ୍ମାର୍ଟକାର୍ଡ ବଣ୍ଟନ କରିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ, ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସଦସ୍ୟ ସୁବାସ ସିଂ, ବିଧାୟକ କିଶୋର ମହାନ୍ତି । ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ଉପରକୁ ହେଉଥିବା ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।