ରାଜ୍ୟରେ ୨୬୦୦ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି- ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡିଶାର ବିଭିନ୍ନ ବିଦ୍ୟାଳୟରେ ବିନା ପ୍ରଧାନଶିକ୍ଷକରେ ଚାଲିଛି କ୍ଲାସ । ରାଜ୍ୟରେ ମୋଟ ୮୦୭୯ ଟି ହାଇସ୍କୁଲରେ ୨୫୮୫ଟି ସ୍ଥାୟୀ ପ୍ରଧାନଶିକ୍ଷକ ଖାଲି ରହିଛି । ଆଜି ବିଧାନସଭାରେ ପ୍ରଧାନଶିକ୍ଷକ ପଦବୀ ପୂରଣ ନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନ୍ୟାୟଳୟରେ ମାମଲା ପଡିଥିବାରୁ ପଦନ୍ନୋତି ହୋଇପାରୁନି କି ଖାଲି ପଦବିପୂରଣ ହୋଇପାରୁନି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ତେବେ ବିନା ପ୍ରଧାନଶିକ୍ଷକରେ ସ୍କୁଲଗୁଡିକ ଚାଲିପାରୁନି । ଉତ୍ତମ ପରିଚାଳନା ହେଉ ନଥିବାରୁ ସେସବୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ମିଳିପାରୁନି ।
ଭାରପ୍ରାପ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ତୁଆଇଲା ବେଳକୁ ଶିକ୍ଷାରେ ଅବହେଲା ହେଉଛି । ତେଣୁ ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ବିଧାୟକ ଅମର ଶତପଥୀ ପ୍ରଶ୍ନ କରିଛନ୍ତି । ସେପଟେ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ସମୀର ଦାସ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ର ଦେଇଥିଲେ । ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ ।
ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି । ପ୍ରାୟ ୧୪୪୮ ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ । ୨୮ଟି କମ୍ପୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଥିବାବେଳେ ବିଦ୍ୟୁତ୍ କାର୍ଯ୍ୟକାରୀ ହେଉନାହିଁ ।