କେନ୍ଦୁଝରରେ ଚାଞ୍ଚଲ୍ୟ, ରୁମ୍ ନଜଗିବାରୁ ବେଲ୍ଟରେ ପିଟିଲେ ପ୍ରଧାନଶିକ୍ଷକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରାଯିବାପରେ ସ୍କୁଲରେ ଆଉ ପାଠପଢା ସମୟରେ ସାର ପିଲାଙ୍କୁ ମାଡ ମାରୁନାହାଁନ୍ତି । ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଗୋଳାବନ୍ଧ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ବୋଧେ ଏକଥା ଜଣାନାହିଁ । ପାଠପଢା ତ ଦୂରର କଥା ସ୍କୁଲ ନ ଜଗିବାରୁ ଛାତ୍ରଙ୍କୁ ବେଲ୍ଟରେ ପିଟିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ଗୋଳାବନ୍ଧ ୟୁଜିଏମଇ ସ୍କୁଲରେ ରାତ୍ରି ଜଗୁଆଳି କାମ ନକରିବାରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପ୍ରଧାନଶିକ୍ଷକ ରମାକାନ୍ତ ବଳ କୌଣସି କାର୍ଯ୍ୟ ନିମନ୍ତେ ବୁଧବାର ଭୁବନେଶ୍ବର ଯାଇଥିଲେ । ତାଙ୍କ ରୁମକୁ ରାତି ସମୟରେ ଜଗିବା ପାଇଁ ଦୁଇଜଣ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜଣେ ଛାତ୍ରଙ୍କ ମା’ ରାତିରେ ସ୍କୁଲରେ ଯାଇ ଶୋଇବାକୁ ମନା କରିଥିଲେ ।
ଫଳରେ ଛାତ୍ର ସୌମ୍ୟରଞ୍ଜନ ନାୟକ ମଧ୍ୟ ଏକୁଟିଆ ଶିକ୍ଷକଙ୍କ ରୁମ୍ ଜଗିବାକୁ ଯାଇନଥିଲେ । ପରଦିନ ପ୍ରାର୍ଥନା ସରିଲା ପରେ ପ୍ରଧାନଶିକ୍ଷକ ସୌମ୍ୟରଞ୍ଜନକୁ ନିଜ କକ୍ଷକୁ ଡାକି ବେଲ୍ଟରେ ନିର୍ଧୁମ ପିଟିଥିଲେ । ମାତ୍ର ଏତିକିରେ ତାଙ୍କ ମନ ଶାନ୍ତ ହୋଇନଥିଲା । ପୁଣି ବାଡ଼ିରେ ପିଟିଥିବା କହିଛନ୍ତି ଛାତ୍ର । ଏ ନେଇ ତେଲକୋଇ ବିଇଓ ଜଗବନ୍ଧୁ ସାହୁ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।