ହବିଷ୍ୟାଳିଙ୍କ ‘ନବୀନ ଭଜନ’କୁ ଜୋର ଧରିଲା ରାଜନୀତି, ମୁଁହାମୁହିଁ ହେଲେ ବିଜେଡି-ବିଜେପି
ହବିଷ୍ୟାଳିଙ୍କ ‘ନବୀନ ଭଜନ’କୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ତେବେ ପୁରୀରେ କାର୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଭିଡ ଜମିଛି । ପୁରୀସ୍ଥିତ ବଗଲା ଧର୍ମଶାଳାରେ ହବିଷ୍ୟାଳୀମାନେ ଠାକୁରଙ୍କ ଭଜନ କୀର୍ତିନ କରିବା ପରିବର୍ତେ ନବୀନ ଭଜନ ଗାଇଛନ୍ତି । ଯାହାକୁ ନେଇ ଉଭୟ ବିଜେଡି-ବିଜେପି ମୁଂହାମୁହିଁ ହୋଇଛନ୍ତି ।
ତେବେ ଏହି ସମୟରେ ସେହିଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହବିଷ୍ୟାଳି ଜଣଙ୍କ ଏକ କାଗଜ ଧରି ନବୀନ ଭଜନ ଗାଉଛନ୍ତି । ଆଉ ପାଖରେ ଥିବା ମହିଳା ଜଣଙ୍କ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ।
ହବିଷ୍ୟାଳି ଏହି ନବୀନ ଭଜନ ଗାଇବା ପରେ ପାଖରେ ଥିବା ପ୍ରଶାସନିକ ଅଧିକାରୀ ତାଳି ମାଡ କରି ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ହବିଷ୍ୟାଳିଙ୍କ ପାଇଁ ବିଭିନ୍ନ ସୁବିଧା କରିଛନ୍ତି । ଆଉ ଏଥିପାଇଁ ଭଜନ ଜରିଆରେ ହବିଷ୍ୟାଳି ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ ଏକ ଆଧ୍ୟାମିକ ସ୍ଥାନରେ ଏପରି ଏକ ଭଜନ ଗାନ ଜରିଆରେ ରାଜନୈତିକ ବିବାଦ ଦେଖାଦେଇଛି । ବିରୋଧୀ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଅନ୍ୟପଟେ ଏ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, କାର୍ତ୍ତିକ ମାସରେ ହବିଷ୍ୟାଳୀମାନେ ପୁରୀରେ ଜଗନ୍ନାଥଙ୍କୁ ଆରାଧନା କରିଥାନ୍ତି। ସେଠାରେ ହବିଷ୍ୟାଳୀଙ୍କ ପାଇଁ ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି। ୨୨ ବର୍ଷ ଶାସନ କାଳରେ ନବୀନ ବାବୁ ସାଢେ ୪ କୋଟି ଲୋକଙ୍କ ହୃଦୟରେ ଅଛନ୍ତି। ତେଣୁ କିଏ ଶ୍ରଦ୍ଧା ମନରେ ନବୀନ ବାବୁଙ୍କୁ ପ୍ରସଂଶା କରିଲା ତାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।