ଦିଲ୍ଲୀ ରୁ ଗିରଫ ହାବିବୁର ୨୦୦୬ରେ ଶେଷ ଥର ଆସିଥିଲା ଓଡିଶା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସନ୍ଦିଗ୍ଧ ଅଲ୍କାଏଦା ସଦସ୍ୟ ଅବଦୁର ରହମନ ପରେ ଏବେ ଆଉଜଣେ ଓଡ଼ିଆ ଯୁବକ ହବିବୁର୍ ରହମନଙ୍କୁ ଆତଙ୍କାବାଦୀ ଲିଙ୍କ୍ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଗିରଫ କରିଛି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଡାକୁଡ଼ା ଅଞ୍ଚଳରେ ବୋଲି ଜଣାପଡିଛି । ହବିବୁର୍ ସୋମବାର ସୌଦୀ ଆରବରୁ ବିମାନଯୋଗେ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ପରେ ଏନ୍ଆଇଏ ତାଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ପଟିଆଲା ହାଉସ୍ କୋର୍ଟରେ ହାଜର କରାଇ ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି । ଏହାପରେ ସ୍ୱାଧୀନତା ଦିବସ ଅବସରରେ ଆତଙ୍କବାଦୀ ହମଲା ହେବା ଆଶଙ୍କାରେ ଦେଶରେ ହାଇଆଲର୍ଟ ଜାରି କରାଯାଇଛି ।
ମିଳିଥିବା ସୂଚନା ମୁତବକ, ହବିବୁର୍ ସୌଦୀ ଆରବର ରିଆଦରେ ରହୁଥିଲେ । ତାଙ୍କ ନାଁରେ ସ୍ବତନ୍ତ୍ର ଏନ୍ଆଇଏ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା । ହବିବୁର ଲଶ୍କର-ଇ-ତୋଇବାର ଆତଙ୍କବାଦୀ କମାଣ୍ଡରମାନଙ୍କୁ ଭାରତରେ ଆକ୍ରମଣ ପାଇଁ ପାକିସ୍ତାନ ଓ ବାଂଲାଦେଶ ସୀମାନ୍ତ ଦେଇ ପ୍ରବେଶ କରାଇଥାନ୍ତା । ସେ କୁଖ୍ୟାତ ଲଶ୍କର ଆତଙ୍କବାଦୀ ଶେଖ୍ ଅବ୍ଦୁଲ ନଇମର ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲା । ନଇମ ହେଉଛନ୍ତି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତଥା ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ସହପ୍ରତିଷ୍ଠାତା ହାଫିଜ ମହମ୍ମଦ ସୟିଦଙ୍କ ଘନିଷ୍ଠ ସହଯୋଗୀ । ସେ ୨୦୦୬ ମସିହାରେ ଭାଇ ବାହାଘର ରେ ଶେଷଥର ପାଇଁ ଓଡ଼ିଶା ଆସିଥିଲେ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।