ଗୁଜରାଟରେ ରେକର୍ଡ ସଂଖ୍ୟକ ବହୁମତ ହାସଲ କଲା ବିଜେପି ଓ ହିମାଚଳ ପ୍ରଦେଶରେ ହାତର ହେଲା ବାଜିମାତ
ଗୁଜରାଟରେ ସପ୍ତମ ଥର ପାଇଁ ବିଶାଳ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ଗୁଜରାଟ ଓ ହିମାଚଳ ପ୍ରଦେଶରେ ସରିଛି ବିଧାନସଭା ନିର୍ବାଚନର ଭୋଟ ଗଣତି। ହିମାଚଳରେ ୬୮ଟି ଆସନ ଓ ଗୁଜରାଟରେ ୧୮୨ଟି ଆସନକୁ ନେଇ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳ ୮ରୁ ଆରମ୍ଭ ହୋଇଥିଲା। ଆରମ୍ଭରୁ ଶେଷ ରାଉଣ୍ଡ ଗଣତି ପର୍ଯ୍ୟନ୍ତ ବିଜେପି ଗୁଜରାଟରେ ଆଗୁଆ ରହିଥିବା ବେଳେ ସେପଟେ କିନ୍ତୁ ହିମାଚଳ ପ୍ରଦେଶରେ କଂଗ୍ରେସ ସହିତ କଡ଼ା ଟକ୍କର ହୋଇଥିଲା।
ତେବେ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଗୁଜରାଟରେ ବହୁମତ ହାସଲ କରି ୧୫୮ ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ମାତ୍ର ୧୬ଟି ଆସନରେ ଆଗରେ ରହିଛି। ସେହିପରି ନିର୍ବାଚନକୁ ନଜରରେ ରଖି ସ୍ବତନ୍ତ୍ର ରଣନୀତି ଆପଣେଇ ଗୁଜରାଟରେ ଆମ୍ ଆଦ୍ମୀ ପାର୍ଟିକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବା ଅରବିନ୍ଦ କେଜରିଓ୍ବାଲଙ୍କୁ ଅଳ୍ପକେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଆପ୍ ସମୁଦାୟ ୫ଟି ଆସନରେ ଆଗୁଆ ଅଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରେକର୍ଡ ସଂଖ୍ୟକ ୧ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ ହାତେଇବାରେ ସଫଳ ହୋଇଛନ୍ତି।
ସେହିପରି ଯଦି ହିମାଚଳ ପ୍ରଦେଶ କଥା ଦେଖାଯାଏ, ତେବେ ସେଠାରେ କଂଗ୍ରେସର ବାଜିମାତ୍ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୩୯ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି ୨୬ରେ ରହିଛି। ହିମାଚଳରେ ମଧ୍ୟ ନିଜର ପତିଆରା ଜାହିର କରିବାକୁ ଥିବା ଆପ୍ କିନ୍ତୁ ନିଜର ଅମାନତ ହରାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ବି ଆସନରେ ଆପ୍ ଆଗରେ ନାହିଁ। ସୂଚନାଥାଉକି, ଆସନ୍ତା ୧୨ ତାରିଖରେ ଗୁଜରାଟରେ ଶପଥ ଗ୍ରହଣ ହେବ।