ଚନ୍ଦ୍ରୟାନ ୨ ସଫଳ ଉତ୍‌କ୍ଷେପଣ, ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆଜି ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ହେଇଛି । ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨ ନେଇ ଜହ୍ନ ରାଇଜକୁ ଯାତ୍ରା କରିଛି ସବୁଠାରୁ ଶକ୍ତିଶାଳୀ ୬୪୦ ଟନ୍ ଓଜନ ବିଶିଷ୍ଟ ଜିଏସ୍‌ଏଲଭି ମାର୍କ -୩ ରକେଟ୍ ‘ବାହୁବଳୀ’। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାର ସତୀଶ ଧଓ୍ୱନ୍ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨କୁ ନେଇ ‘ବାହୁବଳୀ’ ଯାତ୍ରା ଆରମ୍ଭ କରିଛି । ଏଥିପାଇଁ ଉତ୍ତର ପ୍ରଦେଶର କାନପୁରଠାରେ ସୋମବାର ପୂଜାର୍ଚ୍ଚନା କରାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨କୁ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଗତ ସପ୍ତାହରେ ଉତ୍‌କ୍ଷେପଣ କରାଯାଇ ନଥିଲା । ତେଣୁ ଏଥର ସଫଳ ଉତ୍‌କ୍ଷେପଣ ପାଇଁ ପୂଜାର୍ଚ୍ଚନା କରାଯାଇଥିବା ଜଣାପଡିଛି ।

ଶ୍ରାବଣର ପ୍ରଥମ ସୋମବାର ଓ ହିନ୍ଦୁ କ୍ୟାଲେଣ୍ଡରର ପଞ୍ଚମ ମାସ ହୋଇଥିବାରୁ ଏହାକୁ ଉତ୍ତର ଭାରତରେ ଖୁବ୍‌ ଧୁମଧାମରେ ପାଳନ କରାଯାଉଥିବାରୁ ଲୋକେ ଭମେଶ୍ୱର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ଇସ୍ରୋ, ଚନ୍ଦ୍ରୟାନ-୨ର ବ୍ୟାନର ଓ ଭାରତର ଜାତୀୟ ପତାକା ରଖି କେତେଜଣ ଶ୍ରଦ୍ଧାଳୁ ପୂଜା କରୁଥିବା ଦେଖିବାକୁ ମିଳିଛି । ସୋମବାର ଦିନ ୨ଟା ୪୩ରେ ଏହାର ଉତ୍‌କ୍ଷେପଣ ହୋଇଛି । ଏହି ପ୍ରକଳ୍ପ ପାଇଁ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଆଜି ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି ।

Leave a comment