ପୋଲିସ କଲା ପୋଲିସ କୁ ଗିରଫ

0

ଓଡିଶା ଫାଷ୍ଟ(ବ୍ୟୁରୋ):ବ୍ରହ୍ମପୁର ରେଳବାଇ ଥାନା (ଜିଆରପି) ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ମୁଣ୍ଡଙ୍କୁ ଗିରଫ କରିଛି ଜିଆରପି ପୋଲିସ। ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ବେଳେ କାର୍ଯ୍ୟରତ ଟିଟିଇ ତାଙ୍କୁ ଟିକେଟ ମାଗିବାରୁ କର୍ମଚାରୀଙ୍କ ସହାୟତାରେ ସେ ତାଙ୍କୁ ମାଡ ମାରିଥିଲେ । ଟିଟିଇ ଡି. କିରଣ ସାଗର ଗୁରୁତର ଆହତ ହୋଇଥିଲେ । ଅଭିଯୋଗ ହେବା ପରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା।

ଘଟଣା କ୍ରମେ

ସୋମବାର ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ମୁଣ୍ଡ ପୁରୁଲିଆ-ଭିଲ୍ଲୁପୁରମ ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିଲେ । ବିନା ଟିକେଟରେ ଶ୍ରୀମୁଣ୍ଡ ବି-୧ ସଂରକ୍ଷିତ ବଗିରେ ଯାଉଥିଲେ । ଏହି ସମୟରେ ଡ୍ୟୁଟିରେ ଥିବା ଟିଟିଇ ଡି. କିରଣ ସାଗର ତାଙ୍କୁ ଟିକେଟ ମାଗିଥିଲେ । ସେ ନିଜକୁ ଜିଆରପି ଷ୍ଟାଫ ବୋଲି ପରିଚୟ ଦେଇଥିଲେ । ଟିଟିଇ ତାଙ୍କୁ ପରିଚୟ ପତ୍ର ମାଗିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏପରିକି ଶ୍ରୀମୁଣ୍ଡ ଟିଟିଇଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ମଧ୍ୟ ଦେଇଥିଲେ ।

ଟ୍ରେନଟି ବ୍ରହ୍ମପୁରରେ ପହଞ୍ଚିବା ପରେ ଜିଆରପି ଥାନାର କିଛି ଷ୍ଟାଫ ସେଠାରେ ପହଞ୍ଚି ଟିଟିିଇଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଟିଟିଇ ପ୍ରତିବାଦ କରିବାରୁ ତାଙ୍କୁ ଚଳନ୍ତା ଟ୍ରେନରୁ ଘୋଷାରି ନେଇ ନିସ୍ତୁକ ମାଡ ମାରିଥିଲେ । ଫଳରେ ଟିଟଇଙ୍କ ହାତ ଭାଙ୍ଗି ଯିବା ସହ ସେ ଗୁରୁତର ଆହତ ହୋଇଥିଲେ ।

ରେଳବାଇ ଅଧିକାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଟିଟିିଇଙ୍କୁ ବିଶାଖାପାଟଣା ରେଲୱେ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେ ଏବେ ଚିକିତ୍ସାଧିନ ଅଛନ୍ତି । ଏନେଇ ସେ ରେଳବାଇ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ପ୍ରର୍ଯ୍ୟାୟରେ ଇନ୍ସପେକ୍ଟରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତଦନ୍ତ ପରେ ଇନ୍ସପେକ୍ଟର ରାଜେନ୍ଦ୍ରଙ୍କୁ ଗିରଫ କରାଯାଇଛି।

 

Leave a comment