ନିର୍ବାଚନ ପ୍ରଚାର କରି ସରକାରୀ କର୍ମଚାରୀ ନିଲମ୍ବିତ

0

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଞ୍ଚାୟତ ନିର୍ବାଚନ ଯେତିକି ପାଖାଉଛି ସେତିକି ରୋଚକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ନିର୍ବାଚନ ପ୍ରଚାର ବେଳେ ଶାସକ ଦଳ ପାଇଁ ସରକାରୀ କର୍ମଚାରୀ ପ୍ରଚାର କରୁଥିବା ଅଭିଯୋଗ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି। ଏଭଳି ଆଉ ଏକ ଘଟଣା ଯାଜପୁରସଦରରୁ ସାମ୍ନାକୁ ଆସିଛି । ରସୁଲପୁର ପଶୁ ସମ୍ପଦ ବିଭାଗର ଆଟେଣ୍ଡାଣ୍ଟ ସୁଜିତ କୁମାର ସାମଲ ପ୍ରଚାର କରୁଥିବା ଅଭିଯୋଗ ଆସିଛି । ସେ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବାରୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ତାଙ୍କୁ ନିଲମ୍ବିତ କରିଛନ୍ତି। ଆଟେଣ୍ଡାଣ୍ଟ ସୁଜିତଙ୍କୁ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ରିପୋର୍ଟ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।

ସୂଚନା ଥାଉକି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ‌ରେ ମତଦାନ ଆସନ୍ତା ୧୬ ତାରିଖରେ ହେବାକୁ ଯାଉଛି। ମତଦାନ ପାଇଁ ଆଉ ଦିନ କେଇଟା ଥିବାରୁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହେବାରେ ଚାଲିଛି । କୌଣସି ପ୍ରକାର ବି ରଣନୀତି ଆପଣାଇ ପ୍ରାଥୀ ମାନେ ଏହି ତ୍ରିସ୍ତରୀୟ ନିର୍ବାଚନ ବୈତରଣୀ ପାର କରିବାକୁ ଅଣ୍ଟା ଭିଡ଼ିଛନ୍ତି । ତେଣୁ ଅନେକ ସ୍ଥାନରୁ ଆଚରଣ ବିଧି ଉଲଂଘନ ପରି ସଙ୍ଗୀନ ଅଭିଯୋଗ ବାରମ୍ବାର ସାମ୍ନାକୁ ସାଉଛି । କୋଉଠି ସରକାରୀ କର୍ମଚାରୀଙ୍କ ଗାଡ଼ିରୁ ପ୍ରାଥୀଙ୍କ ପୋଷ୍ଟର ବାହାରୁଛି ତ ଆଉ କିଏ ନିଜ ଫେସବୁକ ରେ ପ୍ରାଥୀଙ୍କ ପୋଷ୍ଟର ପୋଷ୍ଟ କରୁଛନ୍ତି। ଆହୁରି ପୁଣି ପ୍ରାଥୀଙ୍କ ବ୍ୟାନର ରେ ନିଜ ଫଟୋ ଲଗାଉଛନ୍ତି । କେବଳ ସରକାରୀ କର୍ମଚାରୀ ନୁହନ୍ତି ବିଭିର୍ନ ଦଳର ନେତା ମଧ୍ୟ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗ ଅନେକଥର ସାମ୍ନାକୁ ଆସୁଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଏପର୍ଯ୍ୟନ୍ତ ଶତାଧିକ ଅଭିଯୋଗ ଆସିଲାଣି। ପ୍ରମାଣ ଅଧାରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି।

Leave a comment