ଅଙ୍ଗନବାଡ଼ିକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ୧୬ ଲକ୍ଷ ଆତ୍ମସାତ୍

ଓଡିଶା ଫାଷ୍ଟ( ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ପଦନିପାଳ ପଞ୍ଚାୟତରେ ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ପାଖାପାଖି ୧୬ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ସରପଞ୍ଚ ଓ ଜେଇଙ୍କ ନାଁରେ ମାମଲା ରୁଜୁ ହୋଇଛି। ସରକାରୀ ଅର୍ଥ ଆତ୍ମସାତ୍ ହୋଇଥିବା ପ୍ରମାଣ ମିଳିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ାଙ୍କ ଏତଲା କ୍ରମେ ଆଳି ଥାନା ପୁଲିସ୍ ସରପଞ୍ଚ ରାକେଶ ରୋଶନ ରାଉତ ଓ ଜେଇ ମନୋଜ କୁମାର ବେହୁରିଆଙ୍କ ନାଁରେ ମାମଲା ରୁଜୁ କରିଛି। ଏତଲାରେ ଦର୍ଶାଇଛନ୍ତି ଯେ ସୋଶାଲ୍ ମିଡିଆରେ ଆସିଥିବା ଖବର ତଥା ସୋଶିଆଲ୍ ଅଡିଟ୍ ଆଧାରରେ ସେ ଘଟଣାର ତଦନ୍ତ କରିବାକୁ ଫେବୃଆରୀ ୭ ତାରିଖରେ ପଦନିପାଳ ପଞ୍ଚାୟତକୁ ଯାଇଥିଲେ। ତାଙ୍କ ସହିତ ଆଳି ବିଡିଓ ବି ସେଠାକୁ ଯାଇଥିଲେ। ତଦନ୍ତରୁ ଏହା ଜଣାପଡ଼ିଥିଲା ଯେ ସେଠାରେ କୌଣସି ନୂତନ କୋଠା ନିର୍ମାଣ ହୋଇନାହିଁ। ଯେଉଁ କୋଠାଟିକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବୋଲି କୁହାଯାଉଛି, ତାହା ଏକ ଓବିବି କୋଠା, ଯାହା ପୂର୍ବରୁ ଅସମ୍ପୂର୍ଣ୍ଣ ହୋଇ ରହିଥିଲା ଓ ସେଠାରେ ପଦନିପାଳ ହରିଜନ ସାହିର ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। ତେଣୁ ସୋଶାଲ୍ ମିଡିଆ ଖବର ଓ ସୋଶିଆଲ୍ ଅଡିଟ୍ ରିପୋର୍ଟରେ ସତ୍ୟାସତ୍ୟ ରହିଛି ଏବଂ ସରପଞ୍ଚ ରାକେଶ ରୋଶନ ରାଉତ ଓ ଜେଇ ମନୋଜ କୁମାର ବେହରୁଆ ଏହି ଦୁର୍ନୀତିରେ ସିଧାସଳଖ ସଂପୃକ୍ତ ଅଛନ୍ତି।