ବ୍ରହ୍ମପୁର ନେତାଙ୍କ ଅକ୍ତିଆରରେ ଗୋପାଳପୁର ବିଜେଡ଼ି, ଦେଖାଦେଲାଣି ତୀବ୍ର ଅସନ୍ତୋଷ
ବ୍ରହ୍ମପୁର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିସ୍କାର କରିବା ପରେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ନେତା ଶୂନ୍ୟ ହୋଇଯାଇଥିବା ଗୋପାଳପୁର ବିଜେଡ଼ିର ମଙ୍ଗ ପ୍ରଥମେ ଗୋପବନ୍ଧୁ ଦାସ ଧରିଥିଲେ। କିନ୍ତୁ ଗତ କିଛି ମାସ ପୂର୍ବେ ଅତର୍କିତ ଭାବେ ଗୋପାଳପୁର ବିଜେଡ଼ିର ଦାୟିତ୍ବ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ପ୍ରଦାନ କରାଗଲା। ଏହା ପରେ ଗୋପାଳପୁର ବିଜେଡ଼ି ଭିତରେ ଅସନ୍ତୋଷ ଉଗ୍ର ରୂପ ନେବାରେ ଲାଗିଛି। ବାହାର ନିର୍ବାଚନ ମଣ୍ଡଳୀରୁ ଆସିଥିବା ବିକ୍ରମ କୁମାର ପଣ୍ଡା ଗୋପାଳପୁର ନେତାଙ୍କ ଦ୍ବାରା ଗ୍ରହଣୀୟ ହୋଇପାରୁ ନାହାନ୍ତି। ଯଥା ସମ୍ଭବ ସତ୍ତ୍ବେ ତାଙ୍କ ନେତୃତ୍ବ ଗ୍ରହଣ କରିବାକୁ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ିର ନେତାମାନେ ମଙ୍ଗୁ ନାହାନ୍ତି। ଏବେ ଗୋପାଳପୁର ବିଜେଡ଼ି ନେତାଙ୍କ ବିରୋଧକୁ ଦମନ କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ଏହି ଗୋଷ୍ଠୀ କନ୍ଦଳ ନିଆଁ ଉପରେ ଘିଅ ଢ଼ାଳିବ ବୋଲି ଆଲୋଚନା ହେଉଛି।
ଗୋପାଳପୁର ବିଜେଡ଼ି ତରଫରୁ ରଙ୍ଗେଇଲୁଣ୍ଡା ବ୍ଲକର ସମସ୍ତ ୩୨ ପଞ୍ଚାୟତ, କୁକୁଡ଼ାଖଣ୍ଡି ବ୍ଲକର ୫ଟି ପଞ୍ଚାୟତ, ଗୋପାଳପୁର ବିଜ୍ଞାପିତ ଅଞ୍ଚଳର ୧୧ଟି ୱାର୍ଡ ଏବଂ ବ୍ରହ୍ମପୁର ସହରର ୬ଟି ୱାର୍ଡରେ କମିଟି ଗଠନ କରାଯିବ। ଏଥି ସହିତ ହାଉସ ଟ୍ୟାଗିଂ ମଧ୍ୟ କରାଯିବ। ଏନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡାଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ଼ି, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷ ସିଏଚ୍. ଉଷାରାଣୀ, କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ସମେତ ଗୋପାଳପୁର ବିଜେଡ଼ିର ବହୁ ବରିଷ୍ଠ ନେତା ଏବଂ ପଦାଧିକାରୀ ବୈଠକରେ ଯୋଗଦେଇଥିଲେ। ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ କମିଟି ଗଠନ କାର୍ଯ୍ୟ କେମିତି ବ୍ୟବସ୍ଥିତ ଢ଼ଙ୍ଗରେ ହୋଇପାରିବ, ସେଥିପାଇଁ କେତେକ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ମୋଟ ୧୧ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍ରେ ୩ ଜଣ ଲେଖାଏଁ ବିଜେଡ଼ି ନେତା ରହିଛନ୍ତି। କିନ୍ତୁ ପ୍ରାୟତଃ ସମସ୍ତ ଟିମ୍ରେ ବ୍ରହ୍ମପୁରର ବିଜେଡ଼ି ନେତାମାନେ ରହିଛନ୍ତି। ସେମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ବ୍ରହ୍ମପୁର ସହରର ବିଜେଡ଼ି କର୍ପୋରେଟର, ଯେଉଁମାନେ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅତ୍ୟନ୍ତ ଘନିଷ୍ଠ। ତେବେ ଏଥିରେ ଗୋପାଳପୁର ବିଜେଡ଼ିର ନେତାମାନଙ୍କୁ ଗୁରୁତ୍ବ ଦିଆଯାଇନଥିବା ଯୋଗୁ ସ୍ଥାନୀୟ ନେତାଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ଗୋପାଳପୁର ବିଜେଡ଼ିକୁ ବ୍ରହ୍ମପୁର ନେତାମାନେ ହାଇଜାକ୍ କରୁଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଥମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଗୋପାଳପୁର ଦାୟିତ୍ବ ପ୍ରଦାନ ପରେ ବର୍ତ୍ତମାନ ବ୍ରହ୍ମପୁର ନେତାଙ୍କୁ ଗୋପାଳପୁର ବିଜେଡ଼ି ନିୟନ୍ତ୍ରଣ ପାଇଁ କ୍ଷମତା ଦେବାକୁ ନେଇ ସ୍ଥାନୀୟ ଅଞ୍ଚଳର ନେତାମାନେ ନାପସନ୍ଦ କରୁଥିବା ଆଲୋଚନା ହେଉଛି।