ଗୋପାଳପୁରରେ ଗୋପବନ୍ଧୁଙ୍କୁ ଟପି ଆଗକୁ ଯିବାକୁ ରେଡ଼ି ପୁରା ରେଡ଼ି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଦଳୁଛି କି ଗଞ୍ଜାମ ରାଜନୀତି ? ନିଜ ପତିଆରା ଜାହିର କରିବାକୁ ଶାସକ ଦଳ ମଧ୍ୟରେ ଆରମ୍ଭ ହେଲାଣି କି ଟଣାଓଟରା ? କିଏ ନିଜକୁ ସୁପ୍ରିମୋଙ୍କ ଆଗରେ ବିଜେଡ଼ିରୁ ନିଲମ୍ବିତ ଗୋପାଳପୁରର ବର୍ତ୍ତମାନର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିକଳ୍ପ ଭାବେ ପ୍ରମାଣିତ କରିବ । ଆଜିର ଘଟଣା ଏଭଳି କିଛି ପ୍ରତିପାଦିତ କରୁଛି । ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଞ୍ଜାମ ଦାୟିତ୍ୱରେ ଥିବା ଗୋପବନ୍ଧୁ ବାବୁଙ୍କ ବୋଲ ମାନୁନାହାଁନ୍ତି ଦଳୀୟ କର୍ମୀ । ଧୀରେଧୀରେ ଗଞ୍ଜାମରେ ଶାସକ ଦଳ ଦୁର୍ବଳ ହେବାରେ ଲାଗିଛି । ଏହାର ସୁଯୋଗ ଉଠାଇବାକୁ ଏବଂ ଗୋପବନ୍ଧୁ ବାବୁଙ୍କ ଠାରୁ ନିଜକୁ ଅଧିକ ଯୋଗ୍ୟ ଦର୍ଶାଇବାକୁ କିଛିଦିନ ତଳେ କଂଗ୍ରେସର ହାତଛାଡି ବିଜେଡିରେ ଯୋଗ ଦେଇଥିବା ଏସ.ଧର୍ମାରାଜୁ ରେଡି ସମ୍ପୂର୍ଣ୍ଣ ଭାବେ ରେଡ଼ି ଥିବା ନେଇ ଦଳରେ ଫୁସୁର୍ ଫାସର ହେବାକୁ ଲାଗିଲେଣି ।

ଅପରପକ୍ଷରେ କିଛି ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁସାରେ, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଜେଡ଼ିରୁ ନିଲମ୍ବିତ କରାଯାଇଛି ସତ, ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ସଙ୍ଗଠନ ଗୋପାଳପୁରରେ ସୁଦୃଢ଼ ରହିଛି ।

ସୂଚନା ଅନୁଯାୟୀ, ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧ ଠାରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ସ୍ବାଧିନତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କମଳାପୁର ଛକରେ କେତେକ ବିଜେଡି କର୍ମୀ ବିଧାୟକଙ୍କୁ ବିରୋଧ କରି ତାଙ୍କ ଗାଡ଼ି ଅଟକାଇଥିଲେ । ଏପରିକି ସେମାନେ କଳା ପତାକା ମଧ୍ୟ ପ୍ରଦର୍ଶନ କରିଥିଲେ । ଗତ କିଛି ମାସ ପୂର୍ବେ କଂଗ୍ରେସ ଛାଡି ବିଜେଡ଼ିରେ ସାମିଲ ହୋଇଥିବା ଏସ.ଧର୍ମାରାଜୁ ରେଡି ଏହାର ନେତୃତ୍ବ ନେଇଥିଲେ । ଏସ.ଧର୍ମାରାଜୁ ରେଡି ଗତ ନିର୍ବାଚନରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ସେ ନିଜ ସମର୍ଥକ ଏବଂ କିଛି ବିଜେଡ଼ି କର୍ମୀଙ୍କ ସହ ମିଶି ଏହି ସମସ୍ତ ଘଟଣା ପୋଲିସ ସମ୍ମୁଖରେ ଘଟାଇଥିଲେ । ଏସ. ଧର୍ମାରାଜୁ ଏଭଳି ବିରୋଧ କରି ବିଜେଡ଼ି ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଏହି ଘଟଣା ପରେ ମଧ୍ୟ ଶ୍ରୀ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଯାଇ ପତାକା ଉତ୍ତୋଳନ କରିଥିଲେ । ସେଠାରେ ଗଣମାଧ୍ୟମକୁ ନିଜ ବିବୃତି ଦେଇ କହିଥିଲେ, ପୋଲିସ ଆଗରେ ଏସମସ୍ତ ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ । ପୋଲିସ ନିଜ କର୍ତ୍ତବ୍ୟରୁ ଓହରିବା ଆଦୌ ଶୁଭଙ୍କର ନୁହେଁ । ଶ୍ରୀ ପାଣିଗ୍ରାହୀ ଆହୁରିମଧ୍ୟ କହିଛନ୍ତି, ଯଦି ମତେ ଏହିପରି ବିରୋଧ କରାଯାଏ ତେବେ ମୁଁ ଅଧିକ ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗଦେବି । ମତେ କେତେ ବିରୋଧ କରୁଛ କର ।

ସେହିପରି କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗ୍ରସ୍ତ ସମୟରେ ଏକ ଉଡ଼ା ଖବର ସମ୍ନାକୁ ଆସିଥିଲା । ଏହି ଖବର ଅନୁଯାୟୀ, ଏକ ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ଖୋଜିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାକି ଅନେକ ନେତାଙ୍କ ନିଦ ହଜାଇ ଦେଇଥିଲା । କାଳେ ଶ୍ରୀ ପାଣିଗ୍ରାହୀ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ଏବଂ ଗଞ୍ଜାମ ଦାୟିତ୍ୱ ତାଙ୍କ ହାତକୁ ଚାଲିଯିବ । ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ଏବେ ଦେଖିବାକୁ ବାକି ରହିଲା ଗଞ୍ଜାମ ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ।

Leave a comment