ତଦନ୍ତ ନିୟନ୍ତ୍ରଣ ଓ ଇଣ୍ଟେଲିଜେନସରେ ଗୁରୁତ୍ୱ ଦେବି : କମିଶନର ଡକ୍ଟର ସୁଧାଂଶୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟୁଇନ ସିଟି ନୂତନ ପୋଲିସ କମିଶନର ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ । ପୂର୍ବତନ ପୋଲିସ କମିଶନର ସତ୍ୟଜିତ ମହାନ୍ତି ତାଙ୍କୁଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଅବସରରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ କହିଛନ୍ତି, କୌଣସି ସହରାଞ୍ଚଳରେ ପୋଲିସ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଲା ସେଠି ସାମୁହିକ ଜୀବନକୁ ସଂଗଠିତ କରିବା, ଶୃଙ୍ଖଳିତ କରିବା ଓ ସରସ କରିବା । ସହରବାସୀଙ୍କ ମଧ୍ୟରେ ସୁରକ୍ଷାର ବାତାବରଣ ସୃଷ୍ଟି ହେବାକୁ ଆମେ ଉଦ୍ୟମ କରିବୁ । ଅଗ୍ରାଧିକାର ଭାବେ ତଦନ୍ତ ନିୟନ୍ତ୍ରଣରେ ଗୁରୁତ୍ୱ ଦେବି । ଓଡିଶା ପୋଲିସ ସାରା ଦେଶରେ ଏକ ଅଗ୍ରଣୀ ପୋଲିସ ଫୋର୍ସ । ଆମେ ଟେକ୍ନୋଲୋଜିରେ ଅନେକ ପ୍ରଗତି କରିଛେ । ଏହି ଟେକ୍ନୋଲୋଜିର ସୁଫଳ ଜନସାଧାରଣଙ୍କୁ ମିଳିବା ଦରକାର । ପୋଲିସର କାର୍ଯ୍ୟଦକ୍ଷତା ଉପରେ ଜନସାଧାରଣଙ୍କ ନଜର ରହିବ । ଏଠାକାର ଯାହା ସ୍ଥିତି ଅଛି ଯାହା ସମସ୍ୟା ଅଛି ଡିଜିପି ବି.କେ ଶର୍ମାଙ୍କ ସହ ଆଲୋଚନା କରିବି କାରଣ ସେ ବହୁ ଦିନଧରି ଏଠିକାର କମିଶନର ଥିଲେ । ପରିସ୍ଥିତିର ସମୀକ୍ଷା କରିବି ଓ ତାପରେ ଯାଇ କାର୍ଯ୍ୟ ପନ୍ଥା ନିର୍ଣ୍ଣୟ କରିବି । କଟକ-ଭୁବନେଶ୍ୱର ଜନସାଧାରଣଙ୍କ ସହଯୋଗ ଓ ସଦଇଚ୍ଛା କାମନା କରୁଛି । ପରିଶ୍ରମ କରିବି ଏବଂ ତାହାସହ ସମସ୍ତଙ୍କର ସେବା କରିବାକୁ ଚେଷ୍ଟା କରିବି । ଆଶାକରୁଛି ସମସ୍ତଙ୍କର ସହଯୋଗ ମିଳିବ । ଆମର ସମସ୍ତେ ମିଶି ଏକ ସୁନ୍ଦର କଟକ-ଭୁବନେଶ୍ୱର ଗଢିବା ।
ସୂଚନା ଅନୁଯାୟୀ, ୧୯୯୦ ବ୍ୟାଚର ଆଇପିଏସ ଅଫିସର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ବି.କେ ଶର୍ମା ନୂତନ ଡିଜିପି ହେବା ପରେ ଅନେକ ଆଇପିଏସ ଓ ଓପିଏସ୍ ସ୍ତରର ପୋଲିସ ଅଫିସର ଅଦଳବଦଳ ହୋଇଥିଲେ । ସେ ନିଜର ଏକ ନୂଆ ଟିମ ଗଠନ କରିଥିବା ଚର୍ଚ୍ଚା ଜୋର ଧରିଛି ।
ଅପରପକ୍ଷରେ ପୂର୍ବତନ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗର ଏଡିଜି ଦାୟିତ୍ୱ ଦିଆଯାଇଛି ।